ନୂଆପଡା ଉପ ନିର୍ବାଚନରେ ବିଜେପିକୁ ଝଟକା । ବିଜେଡିରେ ମିଶିଲେ ବିଜେପିର ପୂର୍ବତନ ବିଧାୟକ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା। ନୂଆପଡାର ଦୁଇ ବିଜେପି ସଂଗଠକ ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି । ଦୁଇଜଣ ହେଲେ ସରପଞ୍ଚ ସଙ୍ଘର ସାଧାରଣ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ଉପସଭାପତି ଟେକରାମ ସାହୁ, ପୂର୍ବତନ ନୂଆପଡା ନଗର ସଭାପତି ଉମେଶ ସହିଷ । ତିନି ଯୁବନେତା ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ବିଜେଡିରେ ସାମିଲ ହୋଇଛନ୍ତି ।
ଶଙ୍ଖ ଭବନରେ ଆନୁଷ୍ଠାନିକ ଭାବେ ତାଙ୍କୁ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଦିବ୍ୟଶଙ୍କର ମିଶ୍ର ସ୍ୱାଗତ କରିଥିଲେ । ହରିଶଚନ୍ଦ୍ର ପଣ୍ଡା ନୂଆପଡାରେ ଜଣେ ଦୃଢ଼ ସଂଗଠକ । ନିର୍ବାଚନ ପରିଚାଳନାରେ ତାଙ୍କ ସକ୍ରିୟ ଅନୁଭୂତି ରହିଛି । ନୂଆପଡାରେ ବିଜେଡି ସ୍ଥିତି ମଜବୁତ ରହିଛି । ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ନୂଆପଡା ଜିଲ୍ଲା ଗଠନ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମୟରେ ନୂଆପଡାରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି, ଯାହାକୁ ଆଜି ବି ନୂଆପଡାବାସୀ ମନେ ରଖିଛନ୍ତି । ଗତ ୧୬ ମାସରେ ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି । ନୂଆପଡା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ହେବ । ବିଜେପି ଜୟ ଢୋଲକିଆଙ୍କୁ ନିଜ ଦଳକୁ ନେଇ ପ୍ରାର୍ଥୀ କରି ବିଜେପି କର୍ମକର୍ତ୍ତାଙ୍କୁ ଅଣଦେଖା କରିଛନ୍ତି । ବସନ୍ତ ପଣ୍ଡାଙ୍କୁ ରାଜ୍ୟସଭା ସାଂସଦ ଓ ତାଙ୍କ ପୁତ୍ର ଅଭିନନ୍ଦନଙ୍କୁ ନିଗମ ଅଧ୍ୟକ୍ଷ ପଦର ପ୍ରତିଶ୍ରୁତି ଦେଇଛି ବିଜେପି । ନୀତି ଆଦର୍ଶ କଥା କହୁଥିବା ବିଜେପି କେବଳ ଡିଲ୍ କରୁଛି ବୋଲି କହିଛନ୍ତି ହରିଶଚନ୍ଦ୍ର ପଣ୍ଡା । ଏହାଦ୍ୱାରା ଅସଲ କର୍ମକର୍ତ୍ତାମାନେ ପ୍ରତାରିତ ହେଉଛନ୍ତି । ଆଗାମୀ ସପ୍ତାହରେ ବିଜେପିର ଶତାଧିକ କର୍ମୀ ବିଜେଡିରେ ଯୋଗଦେବେ । ନୂଆପଡାବାସୀ ଏହି ନିର୍ବାଚନରେ ବିଜେଡିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବେ ବୋଲି କହିଛନ୍ତି ହରିଶଚନ୍ଦ୍ର ।

