ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ବଢୁଛି କ୍ରୋନିକ କିଡନୀ ରୋଗୀଙ୍କ ସଂଖ୍ୟା । କଟକର ନରସିଂହପୁର, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଜିଲ୍ଲା ଏବେ କିଡନୀ ରୋଗୀଙ୍କ ହବ୍ ପାଲଟିଲାଣି । ମାଲକାନଗିରି, ଢେଙ୍କାନାଳ ଓ ନୟାଗଡ଼ରେ ବି ଚିନ୍ତାଜନକ ସ୍ଥିତି। ଅତି ସମ୍ବେଦନଶୀଳ ବର୍ଗରେ ରହୁଛନ୍ତି ନିର୍ମାଣ ଶ୍ରମିକ ଓ କୃଷକ । କାରଣ ସେମାନଙ୍କୁ କାହିଁକି କିଡନୀ ରୋଗ ହେଉଛି, ଜଣାପଡୁନି ତାହାର କାରଣ।। ରାଜ୍ୟରେ ଏପରି ୨୦ ପ୍ରତିଶତ କିଡନୀ ରୋଗୀ ଅଛନ୍ତି, ଯେଉଁମାନଙ୍କ କାରଣ ଜଣା ପଡ଼ୁନି । ସେମାନେ ଠିକ ଭାବେ ପାଣି ପିଅନ୍ତି ନାହଁ କି ସେମାନଙ୍କ ଇଲେକ୍ଟ୍ର୍ରୋଲାଇଟ ବାଲାନ୍ସ ରହୁନି । ଯେଉଁଥି ପାଇଁ ସେମାନଙ୍କ କିଡନୀ ଠିକ ଭାବେ କାମ କରେନି । ଏଥିସହ ଅନେକ ଲୋକ ମରକୁରି, କ୍ରୋମିୟମ, ଆର୍ସେନିକ ମିଶା ପାଣି ପିଇ କିଡନୀ ରୋଗରେ ପଡୁଛନ୍ତି। ଅନ୍ୟପଟେ ୬୦ ପ୍ରତିଶତ ଡାଏବେଟିସ ଓ ହାଇପର ଟେନସନ ଯୋଗୁଁ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଜାତୀୟ ହାର ଅନୁସାରେ ରାଜ୍ୟରେ ୪ରୁ ୭ ପ୍ରତିଶତ କ୍ରୋନିକ କିଡନୀ ରୋଗୀ ରହିବା କଥା। ବର୍ତ୍ତମାନ ୧୭ ହଜାର ରୋଗୀଙ୍କ ଡାୟାଲିସିସ ହେଉଥିବା ଅନଲାଇନରେ ତଥ୍ୟ ଅଛି । ୩୦ ଜିଲ୍ଲାର ୭୦ଟି ଡାୟାଲିସିସ ୟୁନିଟରେ ୬୩୦ ବେଡ୍ ରଖାଯାଇଛି । ସମ୍ବଲପୁର ଓ କଟକରେ ଡାୟାଲିସିସ ୟୁନିଟ ଥିବାରୁ ଅଧିକ ରୋଗୀ ଆସୁଛନ୍ତି। ତେଣୁ ସେଠାରେ ଆଗକୁ ଅଧିକ ଡାୟାଲିସିସ ୟୁନିଟ ଖୋଲିବାକୁ ଯୋଜନା କରୁଛି ସ୍ବାସ୍ଥ୍ୟ ବିଭାଗ।
ରାଜ୍ୟର କିଡନୀ ରୋଗର ଚିନ୍ତାଜନକ ସ୍ଥିତିକୁ ନେଇ ରିସର୍ଚ୍ଚ କରିଥିଲା ସ୍ବାସ୍ଥ୍ୟ ବିଭାଗ । ଯେଉଁଥିରେ ସାମିଲ ଥିଲେ ଏମସ ସହ ବିଭିନ୍ନ ମେଡିକାଲ କଲେଜ ଓ ରାଜ୍ୟ ବାହାରର ବିଶେଷଜ୍ଞ। ଯାହାକୁ ଆଧାର କରି ରାଜ୍ୟରେ ଏକ କ୍ରୋନିକ କିଡନୀ ରୋଗ ରେଜିଷ୍ଟ୍ରି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। କେତେ ମାତ୍ରାରେ କିଡନୀ ରୋଗୀ ବଢୁଛି, ପ୍ରତିକାର ପାଇଁ କି ପଦକ୍ଷେପ ନିଆଯିବ, ସେହି ଅନୁସାରେ ଡିଜାଇନ କରି ସରକାରଙ୍କୁ ରିପୋର୍ଟ ଦେବ ସ୍ବାସ୍ଥ୍ୟ ବିଭାଗ।
ବିଶ୍ବରେ ୧୮ ବର୍ଷରୁ ଅଧିକ ବୟସ୍କ କ୍ରୋନିକ କିଡନୀ ରୋଗୀଙ୍କ ସଂଖ୍ୟ ୧୦ରୁ ୧୩.୪ ପ୍ରତିଶତ। ଭାରତରେ ଗତ ୬ ବର୍ଷରେ ୧୧.୨ ପ୍ରତିଶତରୁ ୧୬.୩୮ ପ୍ରତିଶତକୁ ବଢିଛି ଏହି ସଂଖ୍ୟା। ଗବେଷଣା ଅନୁସାରେ, ଭାରତରେ ୧୪.୮୦ ପ୍ରତିଶତ ପୁରୁଷ ଓ ୧୩.୫୧ ପ୍ରତିଶତ ମହିଳା ଏହି ରୋଗର ଶିକାର ହେଉଥିବା ଜଣାପଡ଼ିଛି।

