ନନ୍ଦିଘୋଷ ବ୍ୟୁରୋ:ଉତ୍ତରପ୍ରଦେଶ ବାରାବଙ୍କିରେ ମର୍ମନ୍ତୁଦ ଦୁର୍ଘଟଣା। କାର ସହ ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା। ଦୁଇ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏକ ବ୍ରିଜ ଉପରେ ଘଟିଥିଲା ଏ ଦୁର୍ଘଟଣା । ବାରାବଙ୍କି କୁଟଲୁପୁର ଗାଁ ନିକଟରେ ଏକ ପୋଲ ଉପରେ ଘଟିଛି ଏ ଦୁର୍ଘଟଣା । ରାତି ପ୍ରାୟ ୧୦ଟାରେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତ ମୃତକ ଫତେହପୁର ସହରର ବୋଲି ଜଣାପଡିଛି। କାରଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ କାରକୁ ବାହାର କରିବାକୁ କ୍ରେନର ଆବଶ୍ୟକ ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଛି।
ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଦୁଇ ଜଣଙ୍କ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ। କାରଟି ଟ୍ରକର ଲେନରେ ପ୍ରବେଶ କରିଥିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। କାରରେ ଆଠ ଜଣ ଥିଲେ। ପାଞ୍ଚ ଜଣ ପୁରୁଷ ଏବଂ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଟ୍ରକଟି ଦ୍ରୁତ ଗତିରେ ଯାଉଥିଲା ଏବଂ ଆସୁଥିବା କାରକୁ ଦେଖିବା ମାତ୍ରେ ନିୟନ୍ତ୍ରଣ ହରାଇ ଧକ୍କା ଦେଇଥିଲା। ପୋଲିସ ଘଟଣା ସହିତ ଜଡିତ ଟ୍ରକକୁ ଜବତ କରିଛି। ଦୁର୍ଘଟଣା ଯୋଗୁଁ ବ୍ରିଜ ଉପରେ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା।

