ରାୟଗଡା : ଉତ୍ତରାଖଣ୍ଡରେ ଓଡ଼ିଆ ଝିଅକୁ ବୀଭତ୍ସ ହତ୍ୟା। ହତ୍ୟା ପରେ ନଦୀରେ ଫିଙ୍ଗି ଦେଲେ ଦୁର୍ବୃତ୍ତ। ମୃତଦେହକୁ ନଦୀରୁ ଉଦ୍ଧାର କରିଛି ପୋଲିସ। ଘଟଣାରେ ସଂପୃକ୍ତ ତିନି ଅଭିଯୁକ୍ତ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୨ ଜଣ ଫେରାର ଅଛନ୍ତି। ଖବର ପାଇ ପରିବାର ବର୍ଗ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି। ରାୟଗଡା ଜିଲ୍ଲା ଚାନ୍ଦିଲୀ ଥାନା ଅନ୍ତର୍ଗତ ଜେ.କେ.ପୁର ଅଞ୍ଚଳର ୨୩ ବର୍ଷୀୟ ଯୁବତୀ ସୃଷ୍ଟି ଶର୍ମାଙ୍କୁ ଉତ୍ତରାଖଣ୍ଡର ଲାଲପୁରରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ସୃଷ୍ଟିକୁ ହତ୍ୟା କରିବା ପରେ ତା ଦେହରେ ଇଟା ଓ ପଥର ବାନ୍ଧି ସ୍ଥାନୀୟ ବାଡୋର ନଦୀରେ ଫିଙ୍ଗି ଦେଇଥିଲେ। ସେ ଯେଉଁ ଭଡା ଘରେ ରହୁଥିଲେ ସେହି ଘର ମାଲିକଙ୍କ ପୁଅ ଅମିତ କୁମାର ଓ ଦୁଇ ସାଙ୍ଗ ହିଁ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଲାଲପୁର ପୁଲିସ ସ୍ପଷ୍ଟ କରିଛି । ଯୁବତୀଜଣକ ଲାଲପୁରରେ ମହିନ୍ଦ୍ରା ଏଣ୍ଡ୍ ମହିନ୍ଦ୍ରା ଟ୍ରାକ୍ଟର୍ କମ୍ପାନୀରେ ଇଣ୍ଟର୍ନସିପ୍ କରୁଥିଲେ । ଗତ ମଙ୍ଗଳବାର ପରିବାର ଲୋକେ ତାଙ୍କୁ ଫୋନରେ ଯୋଗାଯୋଗ କରିଥିଲେ। ହେଲେ କୌଣସି ଉତ୍ତର ନମିଳିବାରୁ ସେମାନେ ଲାଲପୁରରେ ପହଞ୍ଚିଥିଲେ। ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ପରେ ଘର ମାଲିକଙ୍କ ପୁଅ ଅମିତ କୁମାରଙ୍କୁ ପଚରାଉଚରା କରିବା ପରେ ସେ ଓ ତାଙ୍କ ଦୁଇ ସାଙ୍ଗ ହତ୍ୟା କରିଥିବା ସ୍ବୀକାର କରିଥିବା ସୂଚନା ମିଳିଛି।

