spot_img

Latest Posts

ଜାରିଙ୍ଗ ଗାଁରେ ଜମୁଛି ରାସଯାତ୍ରା ଓ ବାଲିଯାତ୍ରା

ବରଗଡ : ଢୋଲ ନିଶାନରେ କମ୍ପୁଛି ପରିବେଶ । ସନ୍ଧ୍ୟାରେ ମନମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଜଳନ୍ଧର ଦରବାର ଦେଖିବାକୁ ଲାଗୁଛି ଲୋକଙ୍କ ଭିଡ଼ । ବରଗଡ ଜିଲ୍ଲା ବିଜେପୁର ଥାନା ଜାରିଙ୍ଗ ଗାଁରେ ଜମୁଛି ଐତିହାସିକ ରାସଯାତ୍ରା ଓ ବାଲିଯାତ୍ରା । ରାଞ୍ଜ ନଦୀ କୂଳରେ କାର୍ତ୍ତିକ ମାସ ଶୁକ୍ଲପକ୍ଷ ଦଶମୀ ତିଥିରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ମାର୍ଗଶିର ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି ପର୍ଯ୍ୟନ୍ତ ଚାଲିବ । ଯାତ୍ରାରେ ବାବା ବାଲୁଙ୍କେଶ୍ଵରଙ୍କ ଦର୍ଶନ କରିବା ସହ ମୀନାବଜାର ଓ ଚଟପଟା ଖାଦ୍ୟର ମଜା ନେଉଛନ୍ତି ହଜାର ହଜାର ଲୋକେ ।

ଜାରିଙ୍ଗ ଗାଁରେ ଅଢେଇ ଶହ ବର୍ଷ ପୂର୍ବରୁ ପାଳିତ ହୋଇ ଆସୁଛି ରାସଯାତ୍ରା ଓ ବାଲିଯାତ୍ରା । କୁହାଯାଏ ଏହି ଗାଁର ପୂର୍ବଜ ମାନେ ସେ ସମୟରେ ଅନ୍ୟ ଏକ ଗାଁକୁ ପ୍ରସିଦ୍ଧ ଲୋକକଳା “ ସଂଚାର କଳା “ ଦେଖିବାକୁ ଯାଉଥିଲେ । ଦିନେ କିଛି ଗ୍ରାମବାସୀ ଅନ୍ୟ ଗାଁକୁ ସଂଚାର କଳା ଦେଖିବାକୁ ଯାଇଥିବା ବେଳେ ବାଘ ହାବୁଡରେ ପଡିଯାଇଥିଲେ । ବହୁ କଷ୍ଟରେ ଜୀବନ ବଞ୍ଚାଇ ଘରକୁ ଫେରିଥିଲେ । ସେହି ଦିନର ଘଟଣା ଗ୍ରାମର ଐତିହ୍ୟର ଅଂଶ ହୋଇ ରହିଗଲା । ସେହିଦିନ ମନ୍ଦିରରେ ଗ୍ରାମବାସୀ ଶପଥ ନେଇଥିଲେ ଜାରିଙ୍ଗ ଗାଁରେ ନିଜେ କଳା ପ୍ରଦର୍ଶନ କରିବେ ଓ ଯାତ୍ରା କରାଯିବ । ସେବେଠାରୁ ପାଳନ ହୋଇ ଆସୁଛି ବାଲିଯାତ୍ରା ।  ଜାରିଙ୍ଗ ଗାଁର ଏହି ବାଲିଯାତ୍ରା କେବଳ ଏକ ଯାତ୍ରା ନୁହେଁ , ଏହା ଗ୍ରାମର ଆସ୍ଥା, ସଂସ୍କୃତିର ପ୍ରତୀକ ।

Latest Posts

Don't Miss