କାଶ୍ମୀରରୁ ଗିରଫ ଆତଙ୍କବାଦୀ ବତାଇଲା ଠିକଣା: ଫରିଦାବାଦରୁ ୩ ଶହ କେଜି RDX ଜବତ, ବଡ଼ ଷଡଯନ୍ତ୍ର ଉପରୁ ହଟିଲା ପରଦା
ନନ୍ଦିଘୋଷ ବ୍ୟୁରୋ: ଜମ୍ମୁ ଓ କାଶ୍ମୀର ପୋଲିସକୁ ମିଳିଛି ବଡ଼ ସଫଳତା । କାଶ୍ମୀରରୁ ଗିରଫ ଆତଙ୍କବାଦୀ ଡକ୍ତର ଆଦିଲ ଅହମ୍ମଦ ରାଠର ତଥ୍ୟ ଅନୁସାରେ ହରିୟାଣାର ଫରିଦାବାଦରୁ ୩୦୦ କେଜି ଆରଡିଏକ୍ସ, ଗୋଟିଏ ଏକେ-୪୭ ରାଇଫଲ ଓ ପ୍ରଚୁର ପରିମାଣରେ ଗେଳା, ବାରୁଦ ଜବତ କରିଛି । ପଚରାଉଚରା ବେଳେ ଆଦିଲ ବହୁତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛି । ଏହାପୂର୍ବରୁ କାଶ୍ମୀରରେ ତା’ ଲକରରୁ ଏକେ-୪୭ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ମିଳିଥିଲା ।
ପଚରା ଉଚରାରୁ ଜଣାପଡିଛି, କାଶ୍ମୀର ବାସିନ୍ଦା ଅନ୍ୟ ଜଣେ ଡକ୍ତର ଡ. ମୁଜମିଲ ଫରିଦାବାଦରେ ଏହି ଅସ୍ତର୍ଶସ୍ତ୍ର ଓ ଗୋଳାବାରୁଦ ଲୁଚାଇ ରଖିଥିଲା । ଉଭୟ ଏବେ ଜମ୍ମୁ ଓ କାଶ୍ମୀର ଜେଲରେ ରହିଛନ୍ତି ।
ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା
ଆଦିଲକୁ ପଚରାଉଚରା ବେଳେ ମିଳିଥିବା ସୂଚନା ଅନୁସାରେ ଜମ୍ମୁ ଓ କାଶ୍ମୀର ପୋଲିସ ଫରିଦାବାଦରେ ଚଢ଼ାଉ କରିଥିଲା । ଜବତ ବିସ୍ଫୋଟକକୁ ଦେଖି ଅନୁମାନ କରାଯାଉଛି, ଏମାନେ ବଡ଼ ଧରଣର ଆକ୍ରମଣ ଷଡଯନ୍ତ୍ରର ଅଂଶ ହୋଇପାରନ୍ତି । ତଦନ୍ତକାରୀ ସଂସ୍ଥା ଏବେ ଏହି ନେଟଓ୍ବର୍କର ସହ ସମ୍ପୃକ୍ତ ଅନ୍ୟ ମାନଙ୍କୁ ଧରିବାକୁ ଧଡ଼ପଗଡ଼ ଆରମ୍ଭ କରିଦେଇଛି ।
ଶ୍ରୀନଗର ପୋଲିସର ଅପରେଶନ ଅଧୀନରେ ଏହାର ଖଉଲାସା ହୋଇଛି । ଯାଞ୍ଚ ବେଳେ ଏକ ଡକ୍ତର ନେଟଓ୍ବର୍କ ଉପରେ ନଜର ରଖାଯାଇଥିଲା । ଏମାନଙ୍କ ସମ୍ପର୍କ ଆତଙ୍କବାଦୀ ସଙ୍ଗଠାନ ଜେଶ ଏ ମୋହମ୍ମଦ ଓ ଗଜବତି ଉଲ ହିନ୍ଦ ସହ ଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛନ୍ତି । ଯାଞ୍ଜରୁ ଏହା ମଧ୍ୟ ଜଣାପଡ଼ିଛି, ଡ. ମୁଜମିଲ ଫରିଦାବାଦର ଅଲ ଫଲାହ ମେଡିକାଲ କଲେଜରେ ଜୁନିୟର ଡାକ୍ତର ଭାବେ କାମ କରୁଥିଲା ।

