ନନ୍ଦିଘୋଷ ବ୍ୟୁରୋ : ବିହାରରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ସରକାର ଗଠନ ନେଇ ଚାଲିଛି ଜୋରଦାର ପ୍ରୟାସ। କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଜେଡିୟୁର ଦୁଇ ନେତା ସଞ୍ଜୟ ଝା ଏବଂ ଲଲନ ସିଂହ। ଜନତା ଦଳ ୟୁନାଇଟେଡର କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝା ଏବଂ କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଏହି ବୈଠକ ମୁଖ୍ୟମନ୍ତ୍ରୀ ପଦ ଏବଂ ଅନ୍ୟାନ୍ୟ ବିଭାଗ ବଣ୍ଟନ ବିଷୟରେ ଆଲୋଚନା ହୋଇଥିବା କୁହାଯାଉଛି। ସଞ୍ଜୟ ଝା ଏବଂ ଲଲ୍ଲନଙ୍କ ସହ ସାକ୍ଷାତ ପରେ ଜେପି ନଡ୍ଡା ମଧ୍ୟ ଅମିତ ଶାହଙ୍କୁ ଭେଟିଛନ୍ତି। ଲଲ୍ଲନ ସିଂହ ଏବଂ ସଞ୍ଜୟ ଝାଙ୍କ ପରେ, ବିହାର ବିଜେପି ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସହ-ପ୍ରଭାରୀ ବିନୋଦ ତାୱଡେ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ବୈଠକରେ ନିର୍ବାଚନ ଫଳାଫଳ ସମୀକ୍ଷା ସହ ସରକାର ଗଠନ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା କରାଯାଇଥିବା କୁହାଯାଉଛି। ବିହାରର ନୂତନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଥିବା ମନ୍ତ୍ରୀମାନଙ୍କ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏପର୍ଯ୍ୟନ୍ତ ରାଜ୍ୟପାଳଙ୍କୁ ଆନୁଷ୍ଠାନିକ ଭାବରେ ଇସ୍ତଫାପତ୍ର ପ୍ରଦାନ କରିନାହାଁନ୍ତି। ତାଙ୍କ ଇସ୍ତଫା ପରେ ହିଁ ସରକାର ଗଠନର ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ମୋଦି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ବିଜେପି ଏବଂ ଜେଡିୟୁ ସେମାନଙ୍କର ବିଧାୟକମାନଙ୍କୁ ପାଟନା ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜେଡିୟୁ, ବିଜେପି, ଏଚ୍ଏଏମ୍ ଏବଂ ଆରଏଲଏମ୍ ବିଧାୟକ ଦଳଗୁଡ଼ିକର ବୈଠକ ଏଠାରେ ଅନୁଷ୍ଠିତ ହେବ। ଯେଉଁଥିରେ ନେତା ଚୟନ ଏବଂ ନୂତନ ମେଣ୍ଟ ସମ୍ପର୍କରେ ଆଲୋଚନା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏନଡିଏ ବିଧାୟକ ଦଳର ଏକ ମିଳିତ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଯେଉଁଠାରେ ନୀତିଶ କୁମାରଙ୍କୁ ନେତା ନିର୍ବାଚିତ କରାଯିବା ସମ୍ଭାବନା ରହିଛି। ବିହାର ନିର୍ବାଚନରେ NDA ଏକକ ବିଜୟ ହାସଲ କରିଛି। ବିଜେପି ୮୯ ଟି ଆସନ ଜିତିଥିବାବେଳେ JDU ୮୫ ଆସନ ଜିତିଛି। ଉଭୟ ଦଳ ପ୍ରତ୍ୟେକ ୧୦୧ ଟି ଆସନରେ ପ୍ରାର୍ଥୀ ଦେଇଥିଲେ।

