ଭୁବନେଶ୍ବର : ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ବିଶିଷ୍ଟ କଣ୍ଠଶିଳ୍ବୀ ହ୍ଯୁମାନ ସାଗର। ମୃତ୍ଯୁବେଳକୁ ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା। ଏନେଇ ଏମସ ପକ୍ଷରୁ ଜାରି ହୋଇଥିବା ବୁଲେଟିନରେ ଦର୍ଶାଯାଇଛି କି ସ୍ବର୍ଗତଃ ହ୍ଯୁମାନ ସାଗର ଏକାଧିକ ରୋଗରେ ପୀଡ଼ିତ ହୋଇ ସେ ଗତ ୧୪ ତାରିଖରେ ଏମସରେ ଭର୍ତ୍ତି ହୋଇଥିଲେ। ଏମସରେ ଡାକ୍ତରମାନେ ତାଙ୍କୁ ପରୀକ୍ଷା କଲା ପରେ ଜଣାପଡ଼ିଥିଲା ସେ ବାଇଲାଟେରାଲ ନିମୋନିଆରେ ପୀଡ଼ିତ। ଏହାସହିତ ସେ ଭୀଷଣ ଲିଭର ରୋଗରେ ପୀଡ଼ିତ ଥିଲେ। ଏହାସହିତ ତାଙ୍କର କାର୍ଡଆକ ସିଷ୍ଟମ ମଧ୍ଯ ଠିକ ଭାବେ କାମ କରୁନଥିଲା। ମଲଟି ଅରଗାନ ଡିସଫଙ୍କସନ ସହ ଶ୍ବାସ ପ୍ରଶ୍ବାସ ଜନିତ ଗଭୀର ସମସ୍ଯା ରହିଥିଲା। ଖାଲିସେତିକି ନୁହେଁ ତାଙ୍କର ଦୁଇଟିଯାକ କିଡନି ବି ଠିକ ଭାବେ କାମ କରୁନଥିଲା। ଏକାଧିକ ଏମସ ବିଶେଷଜ୍ଞ ତାଙ୍କୁ ସୁସ୍ଥ କରିବାକୁ ଶତ ଚେଷ୍ଟା କରିଥିଲେ। କିନ୍ତୁ ଆଜି ରାତି ୯ଟା ୮ ମିନିଟରେ ତାଙ୍କର ପରଲୋକ ଘଟିଛି। ଏମସର ବିଶିଷ୍ଟ ଡାକ୍ତର ତଥା ଇଣ୍ଟେନସିଭିଷ୍ଟ ଓ ଇସିଏମଓ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ ଟିମ ତାଙ୍କର ଚିକିତ୍ସା କରୁଥିଲେ।

