ବାଲି ଚୋରି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ
ନନ୍ଦିଘୋଷ ବ୍ୟୁରୋ: ବାଲି ଚୋରି ପ୍ରସଙ୍ଗରେ ବର୍ଷିଲା ବିଜେଡି । ପ୍ରେସମିଟ କରି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଦଳ । ରାଜ୍ୟରେ ଏବେ ବାଲି ଚୋରି ଉଦବେଗଜନକ ସ୍ଥିତିରେ ପହଞ୍ଚିଛି ବୋଲି ବିଜେଡି କହିଛି । ଗଞ୍ଜାମ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ସୁକିନ୍ଦା ଭଳି ବିଭିନ୍ନ ଜାଗାରେ ବାଲି ଚୋରି ସୀମା ଟପିଛି । ଏଥିରେ ବିଜେପି ଲିଙ୍କ ଅଛି ବୋଲି ଅଭିଯୋଗ ଆଣିଛି ବିଜେଡି ।
ବାଲି ଦର ଅହେତୁକ ଭାବେ ବୃଦ୍ଧି ପାଇଲାଣି । ଲୋକ ଘର କରିବାକୁ ଡରିଲେଣି । ସେଥିପାଇଁ ସରକାର ବାଲି ଚୋରି ରୋକିବାକୁ ବାରମ୍ବାର ନିର୍ଦ୍ଦେଶ ଦେଉଛନ୍ତି । ହେଲେ ନିଜ ଲୋକ ଏଥିରେ ସଂପୃକ୍ତ ଥିବାରୁ ଏହାକୁ ରୋକିବାରେ ସରକାର ଅସମର୍ଥ । ଏହାସହ ପ୍ରଶ୍ନବାଣରେ ସରକାରଙ୍କୁ ଘାଇଲା କରିଛି ବିଜେଡି । ବାଲି ଚୋରିକୁ ନେଇ ହତ୍ୟା ହେଉଛି । ରାଜ୍ୟର ଲଘୁ ଖଣିଜ ଲୁଟ ହେଉଛି । ରାଜସ୍ବ କମିଲାଣି, ହେଲେ କେହି ପ୍ରଶ୍ନ କରୁନାହାନ୍ତି । ବାଲି ଚୋରି ଉପରେ ସିବିଆଇ ତଦନ୍ତ କାହିଁକି କରୁନାହାନ୍ତି ? ବିଜେଡି ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ କରିବ । ବାଲି ଖଣିଜ ଲୁଟ ନେଇ ଲୋକଙ୍କ ନିକଟରେ ସମସ୍ତ ତଥ୍ୟ ରଖିବ ବୋଲି ବିଜେଡି ଚେତାବନୀ ଦେଇଛି । ସରକାର ଏସପି, କଲେକ୍ଟରଙ୍କୁ କହିବା ଅପେକ୍ଷା ନିଜ ବିଧାୟକଙ୍କୁ କଣ୍ଟ୍ରୋଲ କରିବାକୁ ବିଜେଡି କହିଛି ।

