spot_img

Latest Posts

G20 ସମ୍ମିଳନୀରୁ ଟ୍ରମ୍ପ-ପୁଟିନ-ଜିନପିଙ୍ଗ ଗାଏବ, ସବୁଠି ମୋଦିଙ୍କ ଚର୍ଚ୍ଚା

G20 ସମ୍ମିଳନୀରୁ ଟ୍ରମ୍ପ-ପୁଟିନ-ଜିନପିଙ୍ଗ ଗାଏବ, ସବୁଠି ମୋଦିଙ୍କ ଚର୍ଚ୍ଚା

ନନ୍ଦିଘୋଷ ବ୍ୟୁରୋ: ୨୦ ବର୍ଷର ଇତିହାସରେ ପ୍ରଥମ ଥର ଦକ୍ଷିଣ ଆଫ୍ରିକାରେ G20 ବୈଠକ ହେଉଛି । ଏହି ଐତିହାସିକ ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋହାନ୍ସବର୍ଗ ପହଞ୍ଚି ସାରିଛନ୍ତି । ମୋଦି ସମ୍ମିଳନୀର ସମସ୍ତ ତିନୋଟି ସେଶନରେ ଅଂଶ ଗ୍ରହଣ କରିବା ସହ ବିକାଶ, ଜଳବାୟୁ ସଙ୍କଟ ଓ AI ଉପରେ ନିଜ ବିଚାର ରଖିବେ ।  ଯାତ୍ରା ପୂର୍ବରୁ ଏହି ସମ୍ମିଳନୀ ଭାରତ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ମୋଦି କହିଛନ୍ତି । କାରଣ ୨୦୨୩ରେ ଭାରତ ଅଧ୍ୟକ୍ଷତା ସମୟରେ ଆଫ୍ରିକୀୟ ୟୁନିଅନକୁ ଜି୨୦ର ସଦସ୍ୟ କରାଯାଇଥିଲା । ହେଲେ ସମ୍ମିଳନୀରେ ବିଶ୍ବର ତିନି ଶକ୍ତିଶାଳୀ ନେତାଙ୍କୁ ଦେଖିବାକୁ ମିଳିବ ନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସମ୍ମିଳନୀରେ ଯୋଗ ଦେଉନାହାନ୍ତି । ଆସନ୍ତୁ ଜାଣିବା, ବିଶ୍ବର ସବୁଠାରୁ ଶକ୍ତିଶାଳୀ ତିନି ନେତା କାହିଁକି ଜି୨୦କୁ ଆସିଲେ ନାହିଁ ।

ରାଗିଛନ୍ତି ଟ୍ରମ୍ପ

ଆମେରିକା ଜି୨୦ର ପ୍ରତିଷ୍ଠାତା ସଦସ୍ୟ ଓ ପରବର୍ତ୍ତି ଅଧ୍ୟକ୍ଷତା ତାକୁ ମିଳିବ । ଏମିତି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁପସ୍ଥିତି ଅଧିକ ଚର୍ଚ୍ଚାରେ ରହିଛି । ପୂର୍ବରୁ ଟ୍ରମ୍ପ ସ୍ପଷ୍ଟ କରିସାରିଛନ୍ତି, ସେ ଜି୨୦ ସମ୍ମିଳନୀରେ ସାମିଲ ହେବେ ନାହିଁ । ସେ ଅଭିଯୋଗ କରିଛନ୍ତି ଯେ ଦକ୍ଷିଣ ଆଫ୍ରିକାରେ ରୋଗା ଚାଷୀଙ୍କ ଉପରେ ଅତ୍ୟାଚାର ହେଉଛି । ନିଜ ସୋସିଆଲ ମିଡିଆରେ ଟ୍ରମ୍ପ ପୋଷ୍ଟ କରି କହିଛନ୍ତି, ନୂଆ ଜମି ଭୂମି ସୁଧାର ଆଇନ ପରେ ଦକ୍ଷିଣ ଆଫ୍ରିକାରେ ଗୋରା ଚାଷୀଙ୍କ ଉପରେ ଅତ୍ୟାଚାର ହେଉଛି । ତେବେ ସମ୍ମିଳନୀ ପୂର୍ବରୁ ଟ୍ରମ୍ପଙ୍କ ମତ ପରିବର୍ତ୍ତନ ହେବା ପରି ଲାଗୁଛି । ଆମେରିକା ନିଜର କାର୍ଯ୍ୟବାହୀ ରାଜଦୂତ ମାର୍କ ଡି. ଡିଲାଇଙ୍କୁ ସମ୍ମିଳନୀର ଶେଷ ସେଶନରେ ଯୋଗ ଦେବାକୁ ପଠାଇଛି ।

ପୁଟିନଙ୍କୁ ଗିରଫଦାରୀ ଭୟ

ସେହିପରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଜି୨୦ ସମ୍ମିଳନୀରେ ଯୋଗ ଦେବାକୁ ଦକ୍ଷିଣ ଆଫ୍ରିକା ଆସିବେ ନାହିଁ । କାରଣ ତାଙ୍କୁ ନିଜର ଗିରଫଦାରୀ ଭୟ ରହିଛି । ଇଣ୍ଟରନ୍ୟାଶନାଲ କ୍ରିମିନାଲ କୋର୍ଟ (ଆଇସିସି) ୟୁକ୍ରେନ ଯୁଦ୍ଧ ପାଇଁ ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛି । ଦକ୍ଷିଣ ଆଫ୍ରିକା ରୋମ ନିୟମାବଳୀର ସଦସ୍ୟ ହୋଇଥିବାରୁ ତା’ ପାଇଁ ଆଇସିସି ଓ୍ବାରେଣ୍ଟକୁ ପାଳନ କରିବା ଆଇନଗତ ଅନିବାର୍ଜ୍ୟ ହୋଇଯିବ । ତେଣୁ ଯଦି ପୁଟିନ ଆସିବେ ତେବେ ଦକ୍ଷିଣ ଆଫ୍ରିକାକୁ ତାଙ୍କୁ ଗିରଫ କରିବାକୁ ପଡ଼ିବ । ଏହି କାରଣରୁ ୨୦୨୩ରେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ପୁଟିନ ସାମିଲ ହୋଇ ନଥିଲେ ।

ଜିନପିଙ୍ଗ ଅସୁସ୍ଥ

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଚଳିତ ଜି୨୦ ସମ୍ମିଳନୀରେ ସାମିଲ ହେବେ ନାହିଁ । ମିଡିଆ ରିପୋର୍ଟ ଅନୁସାରେ, ତାଙ୍କ ସ୍ବାସ୍ଥ୍ୟ ଠିକ୍ ନାହିଁ । ତେଣୁ ସେ ନଆସି ପ୍ରଧାନମନ୍ତ୍ରୀ ଲି କିୟାଙ୍ଗଙ୍କୁ ସମ୍ମିଳନୀରେ ଯୋଗଦେବାକୁ ପଠାଇଛନ୍ତି । ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଓ ଚୀନ ମଧ୍ୟରେ ଦୃଢ଼ ବ୍ୟବସାୟୀକ ସମ୍ପର୍କ ରହିଛି । ୨୦୨୩ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ଜିନପିଙ୍ଗ ସାମିଲ ହୋଇଥିଲେ । ଏମିତି ସ୍ଥିତିରେ ଜି୨୦ରେ ତାଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ପାଲଟିଛି ।

ବଢ଼ିଛି ଭାରତର ମହତ୍ବ 

ସେପଟେ ଟ୍ରମ୍ପ, ପୁଟିନ ଏବଂ ଜିନପିଙ୍ଗଙ୍କ ଅନୁପସ୍ଥିତି ଭାରତ ପାଇଁ ଏକ ଭଲ ସୁଯୋଗ ସୃଷ୍ଟି କରିଛି । କାରଣ ଏହି ତିନି ନେତା ଆସୁ ନଥିବାରୁ ଏବେ ସାରା ବିଶ୍ବର ନଜର ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ରହିବ । ଏବେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି, ବୈଶ୍ବିକ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କ’ଣ କହିବେ ଓ ବିକାଶଶୀଳ ଦେଶଙ୍କ ସ୍ବରକୁ କେମିତି ଆଗକୁ ନେବେ ।

Latest Posts

Don't Miss