ବାଲି ଲିଜ୍ ପାଇଁ ଲଟେରୀ ନିଷ୍ପତ୍ତିକୁ ବିଜେଡିର ସମାଲୋଚନା, କହିଲା- ଶାସକ ଦଳ ନେତା ଓ କର୍ମୀଙ୍କ ପାଇଁ ହୋଇଛି ନୂଆ ବ୍ୟବସ୍ଥା
ନନ୍ଦିଘୋଷ ବ୍ୟୁରୋ: ବନ୍ଦ ହେବ ବାଲି ମାଫିଆଙ୍କ ମନମାନି । ସାବାଡ଼ ହେବେ ବାଲି ମାଫିଆ । ବେଆଇନ ଭାବେ ଆଉ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେନି । ଏଣିକି ମନଇଚ୍ଛା ଚଢ଼ା ଦର ନୁହେଁ, ବାଲି ପାଇଁ ଲାଗୁ ହେବ ଏମଏସପି । ବାଲି ଖଣି ନିଲାମୀ ବଦଳରେ ହେବ ଲଟେରୀ ବ୍ୟବସ୍ଥା । ଚୋରା ବାଲି କାରବାର ରୋକିବାକୁ କ୍ୟାବିନେଟ ନିଷ୍ପତ୍ତିକୁ ନେଇ ବିଜେଡି ସମାଲୋଚନା କରିଛି । ଏହା କେବଳ ଶାସକ ଦଳର କର୍ମୀଙ୍କୁ ସୁହାଇବ ବୋଲି ଅଭିଯୋଗ କରିଛି ବିଜେଡି ।
ଏଣିକି ବାଲି ଉତ୍ସ ନିଲାମୀ ହେବନି । ତା’ ବଦଳରେ ହେବ ଲଟେରୀ । ସେତିକି ନୁହେଁ, ବାଲିର ସବର୍ନିମ୍ନ ଦର ସ୍ଥିର କରିବେ ସରକାର । ବାଲି ଗଚ୍ଛିତ ପାଇଁ ନେବାକୁ ପଡ଼ିବ ଲାଇସେନ୍ସ । ସାରା ରାଜ୍ୟରେ ଗୋଟିଏ ଦରରେ ବିକ୍ରୀ ହେବ ବାଲି । ବିନା ଷ୍ଟୋରେଜ ଲାଇସେନ୍ସରେ ବାଲି ଓ ଅନ୍ୟ ଲଘୁ ଖଣିଜ ପଦାର୍ଥ କେହି ବେଆଇନ ଗଚ୍ଛିତ କରି ରଖି ପାରିବେ ନାହିଁ । ବାଲି ଚୋରା ଚାଲାଣ ଓ ମାଫିଆଙ୍କୁ ଲଗାମ ଲଗାଇବାକୁ ଗତକାଲି ରାଜ୍ୟ ସରକାର ଏପରି କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ର ସଂଶୋଧନ କରିଛନ୍ତି । ଏହାଦ୍ବାରା ବାଲି, ଗୋଡ଼ି, ମୋରମ୍ ଭଳି ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ, ସଂରକ୍ଷଣ, ପରିବହନ ରୋକାଯାଇପାରିବ ବୋଲି ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ।
ରାଜସ୍ବ ବୃଦ୍ଧି ପାଇଁ ଗତ ସରକାର ବାଲି ଘାଟର ନିଲାମ ବ୍ୟବସ୍ଥା କରିଥିଲେ । ହେଲେ ବିଜେପି ସରକାର ଏହାକୁ ଲଟେରୀ କରିବା ନିଷ୍ପତ୍ତିକୁ ବିଜେଡ଼ି ବିଧାୟକ ଅରୁଣ ସାହୁ ସମାଲୋଚନା କରିଛନ୍ତି । ଯେତେବେଳେ ବାଲି ଚୋରା ଚାଲାଣ ରୋକିବାକୁ ଅସମର୍ଥ ହେଲେ । ସେତେବେଳେ ଅନ୍ୟ ଉପାୟ ନ ପାଇଁ ଲଟେରୀକୁ ଆବୋରିଲେ । ଏହା ହେଉଛି ସରକାରଙ୍କ ଅପାରଗତା । ନିଜ ଦଳର କର୍ମୀଙ୍କୁ ଫାଇଦା ଦେବାକୁ ଏପରି ବ୍ୟବସ୍ଥା କରାଯାଇଛି । ଏବେ ବିଜେପି ନେତାମାନେ ଜୋର ଜବରଦସ୍ତ ବାଲି ଉତ୍ତୋଳନ କରୁଛନ୍ତି । ବାଲିକୁ ନେଇ ମାଫିଆରାଜ ଚାଲିଛି । ବାଲିର ପ୍ରକୃତ ଦରଠାରୁ ୧୦ ଗୁଣ ଅଧିକ ଆଦାୟ ହେଉଛି । ବାହାର ରାଜ୍ୟକୁ ବାଲି ଚାଲାଣ ହେଉଛି । ନଦୀର ସ୍ରୋତକୁ ବନ୍ଧ ବାନ୍ଧି ବାଲି ଉଠା ଯାଉଛି । ଫଳରେ ନଦୀ ମରିବ । ସଭ୍ୟତାର ବି ପତନ ହେବ ବୋଲି ଅରୁଣ କହିଛନ୍ତି ।
ରାଜ୍ୟରେ ଥିବା ୩ ହଜାର ୫୫୭ଟି ଲଘୁ ଖଣିଜ ଉତ୍ସକୁ ୨୦୨୨ ମସିହାରେ ରାଜସ୍ବ ବିଭାଗରୁ ଖଣି ବିଭାଗକୁ ପରିଚାଳନା ଭାର ଦିଆଯାଇଥିଲା । ସେବେଠାରୁ ଲଘୁ ଖଣିଜ ସୈରାତ ଉତ୍ସକୁ ନିଲାମ ଜରିଆରେ ଲିଜ୍ ଦିଆଯାଉଥିଲା ।

