spot_img

Latest Posts

ମୁମ୍ବାଇ ପୌର ନିର୍ବାଚନ ପୂର୍ବରୁ ମହାବିକାଶ ଅଘାଡିରେ ବିବାଦ

ମୁମ୍ବାଇ ପୌର ନିର୍ବାଚନ ପୂର୍ବରୁ ମହାବିକାଶ ଅଘାଡିରେ ବିବାଦ l ରାଜ ଠାକରେ ନେତୃତ୍ବାଧୀନ ମହାରାଷ୍ଟ୍ର ନବନିର୍ମାଣ ସେନା ସହ ଉଦ୍ଧବ ଠାକରେ ନେତୃତ୍ବାଧୀନ ଶିବସେନା(ୟୁବିଟି) ହାତ ମିଳାଇବା ନିଶ୍ଚିତ ହୋଇଥିବାବେଳେ କଂଗ୍ରେସର ଦାବିକୁ ଅଗ୍ରାହ୍ୟ କରାଯାଇଛି l ଶିବସେନା(ୟୁବିଟି) ସାଂସଦ ସଞ୍ଜୟ ରାଓତ କହିଛନ୍ତି- କାହାର ନିର୍ଦ୍ଦେଶ ଉପରେ ଏହି ମେଣ୍ଟ ନିର୍ଭର କରୁନାହିଁ l ମେଣ୍ଟରେ ଏମଏନଏସକୁ ସାମିଲ କରାଯିବ କି ନାହିଁ ସେସମ୍ପର୍କରେ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଲେ ହିଁ କାର୍ଯ୍ୟକାରୀ କରାଯିବ ବୋଲି କଂଗ୍ରେସର ଯୁକ୍ତିକୁ ଅଗ୍ରାହ୍ୟ କରିଛନ୍ତି ସଞ୍ଜୟ l କିଛି ଦିନ ତଳେ ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ, ଦିଲ୍ଲୀରୁ ନିର୍ଦ୍ଦେଶ ନ ଆସିଲେ ମେଣ୍ଟରେ ଏମଏନଏସକୁ ସାମିଲ କରାଯିବ ନାହିଁ l ସଞ୍ଜୟ କହିଛନ୍ତି- ଏ ସଂକ୍ରାନ୍ତ ନିଷ୍ପତ୍ତି କଂଗ୍ରେସର ବ୍ୟକ୍ତିଗତ ହୋଇପାରେ l ମେଣ୍ଟ ନେଇ ଶିବସେନା ଓ ଏମଏନଏସ ଆଗକୁ ଆସିଗଲେଣି l ଏନେଇ କାହାର ନିର୍ଦ୍ଦେଶ ଜରୁରୀ ନୁହେଁ l ମେଣ୍ଟ ନିଷ୍ପତ୍ତିକୁ ଶରଦ ପାଓ୍ବାର ନେତୃତ୍ବାଧୀନ ଏନସିପି(ଏସପି) ଓ ବାମପନ୍ଥୀ ସମ୍ମତି ପ୍ରକାଶ କରିଛନ୍ତି l

ମହାରାଷ୍ଟ୍ର ପିସିସି ସଭାପତି ହର୍ଷବର୍ଦ୍ଧନ ସପକାଲଙ୍କ ନେତୃତ୍ବରେ ବସିଥିବା ବୈଠକରେ ମୁମ୍ବାଇ ନିର୍ବାଚନରେ କେବଳ ଇଣ୍ଡି ମେଣ୍ଟ ସଦସ୍ୟଙ୍କୁ ନେଇ ମେଣ୍ଟ ଗଠନ କରାଯାଉ ବୋଲି ଦଳର ନେତାମାନେ କହିଥିଲେ l ଉତ୍ତର ଭାରତୀୟ ବିରୋଧୀ ମାନସିକତା ଓ ସଂଖ୍ୟାଲଘୁ ବିରୋଧୀ ମନୋଭାବ ଯୋଗୁ ଏମଏନଏସକୁ ମେଣ୍ଟରେ ସାମିଲ କରାଗଲେ ତାହା ଜାତୀୟ ଦଳ କଂଗ୍ରେସ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଦଳର ନେତାମାନେ ବିଚାର କରୁଛନ୍ତି l ଯଦି ଏମଏନଏସ ସହ ମେଣ୍ଟ କରାଯାଏ ତେବେ କଂଗ୍ରେସକୁ ଏହାର ମୂଲ୍ୟ ଅଧିକ ଦେବାକୁ ପଡିବ ବୋଲି ବିଚାର କରାଯାଉଛି l ସେପଟେ ଏନସିପି(ଏସପି) କହିଛି ଏମଏନଏସ ସହ ମେଣ୍ଟ ବିଜେପି ଲାଗି କ୍ଷତିର କାରଣ ହେବ l ଆସନ୍ତା ବର୍ଷ ପ୍ରାରମ୍ଭରେ ଦେଶର ସବୁଠାରୁ ଧନୀ ମହାନଗର ନିଗମ କୁହାଯାଉଥିବା ବୃହନ ମୁମ୍ବାଇ ମ୍ୟୁନିସପାଲ କର୍ପୋରେସନର ନିର୍ବାଚନ ଅନୁଷ୍ଠିତ ହେବ l

Latest Posts

Don't Miss