ଭୁବନେଶ୍ବର : ଏସଆଇ ଚାକିରି ବିକ୍ରିରେ ଘାଣ୍ଟୁଛି ସିବିଆଇ। ଦଲାଲଙ୍କଠାରୁ ଉଗାରୁଛି ଚାକିରୀ ବିକ୍ରି ପଛର ସାଙ୍ଘାତିକ ସତ। ଆଜିଠୁ ୩ ଦିନିଆ ରିମାଣ୍ଡରେ ୪ ଦଲାଲଙ୍କୁ ଆଣିଛି ସିବିଆଇ। ଲୋକନାଥ ସାହୁ, ତଫିମ ଅହମ୍ମଦ ଖାନ, ବିଶ୍ୱଜିତ ହରିଚନ୍ଦନ ଓ ଏସ୍ ଏସ୍ ବି ଯବାନ ବିଶ୍ୱରଞ୍ଜନ ସେନାପତିଙ୍କୁ ରିମାଣ୍ଡରେ ଆଣିବା ପରେ ଜେରା ପାଇଁ ପ୍ରସ୍ତୁତି କରିଛି। ୨୫ ଲକ୍ଷରେ ବିକ୍ରି ହେଉଥିଲା ସବ ଇନ୍ସପେକ୍ଟର ଚାକିରୀ । କିପରି ପରୀକ୍ଷାର୍ଥୀଙ୍କ ଯୋଗାଡ଼ ହେଉଥିଲା ? କାହାର ଭାଗ କେତେ ଥିଲା ? ଦଲାଲଙ୍କ ପଛରେ ମାଷ୍ଟରମାଇଣ୍ଡ କିଏ ? ମାଷ୍ଟରମାଇଣ୍ଡଙ୍କ ଗଡ଼ଫାଦର କିଏ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ସିବିଆଇ। ସମସ୍ତ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ପରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି ଓ ସିଲିକନ ଟେକ ମାଲିକ ସୁରେଶ ନାୟକଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସିବିଆଇ ସୂତ୍ରରୁ ଜଣାପଡ଼ିଛି।

