କୋଣାର୍କ : ଦୁଲୁକୁଛି ଅର୍କକ୍ଷେତ୍ର । ଚାଲିଛି ନୃତ୍ୟ, ସଙ୍ଗୀତର ମହାକୁମ୍ଭ କୋଣାର୍କ ଉତ୍ସବ । ଶାସ୍ତ୍ରୀୟ ନୃତ୍ୟରେ କମ୍ପୁଛି ମୁକ୍ତାକାଶ ରଙ୍ଗମଞ୍ଚ । ୩୬ତମ କୋଣାର୍କ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଦେଖିବାକୁ ମିଳିଛି କୁଚିପୁଡି ଓ ଓଡିଶୀ ନୃତ୍ୟର ଅପୂର୍ବ ସମ୍ଭାର । କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ବାଙ୍ଗାଲୋରରୁ ଆସିଥିବା ପ୍ରଖ୍ୟାତ କୁଚିପୁଡ଼ି ନୃତ୍ୟାଙ୍ଗନା ବୈଜୟନ୍ତୀ କାଶୀଙ୍କ ସମ୍ଭାବୀ ସ୍କୁଲ ଅଫ୍ ଡ୍ୟାନ୍ସର ଶିଳ୍ପୀମାନଙ୍କ ଦ୍ଵାରା କୁଚିପୁଡ଼ି ନୃତ୍ୟ ପରିବେଷଣ ହୋଇଥିଲା । ଯେଉଁଥିରେ ସମୁଦ୍ର ମନ୍ଥନକୁ ଅତି ସୁନ୍ଦର ଭାବେ ପରିବେଷଣ କରାଯାଇଥିଲା । ଯାହାକୁ ଦେଖି ବିଭୋର ହୋଇଥିଲେ ଲକ୍ଷାଧିକ ଲୋକେ ।
ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଆୟୋଜିତ ହୋଇଥିବା ବାଲୁକା କଳା ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଉପରେ କଳା ପରିବେଷଣ କରିଥିଲେ ବାଲୁକା ଶିଳ୍ପୀ । ସମୁଦ୍ରର ଅଥଳ ଜଳରାଶି ଆଉ ଅସରନ୍ତି ବେଳାଭୂଇଁର ବାଲୁକା ଭୂଖଣ୍ଡ ଚିତ୍ରିତ ହୋଇ ଉଠିଥିଲା କଳାର ସ୍ପର୍ଶରେ । ବାଲୁକା କଳା ମହୋତ୍ସବରେ ଦେଶ ଓ ବିଦେଶର ଅନେକ କଳାକାର ସାମିଲ ହୋଇଛନ୍ତି । ଆଜି କୋଣାର୍କ ଉତ୍ସବର ତୃତୀୟ ଦିନରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ ସୃଜନ ଅନୁଷ୍ଠାନର ଗୁରୁ ରତିକାନ୍ତ ମହାପାତ୍ର ଓ ସାଥୀବୃନ୍ଦ । କଥକଲି ପରିବେଷଣ କରିବେ କେରଳ କଳାମଣ୍ଡଳମର ଶିଳ୍ପୀମାନେ ।

