ବ୍ରହ୍ମପୁର : ଶିକ୍ଷା ପାଇଁ ଉତ୍ସର୍ଗୀକୃତ ମଣିଷଟିଏ । ସ୍କୁଲରେ ଚାକିରି କରିନାହାନ୍ତି । ହେଲେ ଆସୁଛନ୍ତି ନିୟମିତ । ବିନା ପାରିଶ୍ରମିକରେ କରୁଛନ୍ତି ଶିକ୍ଷାଦାନ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାକୁଟ ଗାଁରେ ସ୍ଵାର୍ଥବିହୀନ ସେବା ଯୋଗାଇ ଆସୁଛନ୍ତି ବିଭୂତି ଭୂଷଣ ଶତପଥୀ ଓରଫ ସମସ୍ତଙ୍କ ପ୍ରିୟ ମିଟୁ ସାର । ଦୀନବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାପୀଠରେ ବିନା ପାରିଶ୍ରମିକରେ ଦୀର୍ଘ ୩୨ ବର୍ଷ ହେଲା ପାଠ ପଢାଇ ଆସୁଛନ୍ତି । ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ଗଣିତ ଓ ବିଜ୍ଞାନ ପଢାଉଛନ୍ତି । ତାଙ୍କ ପାଠପଢା ଶୈଳୀକୁ ଛାତ୍ରଛାତ୍ରୀ ବେଶ ଭଲ ପାଆନ୍ତି।
ଦୀନବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାପୀଠରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ୬୩ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ଜଣେ ମାତ୍ର ଶିକ୍ଷୟିତ୍ରୀ ଜୟଶ୍ରୀ ତ୍ରିପାଠୀ ରହିଛନ୍ତି । ପ୍ରଧାନ ଶିକ୍ଷକ ବିଜୟ ବେହେରା ବାଗଳପୁର ବ୍ରାହ୍ମଣୀଦେବୀ ପ୍ରାଥମିକ ବିଦ୍ୟାଳୟରୁ ଡେପୁଟେସନରେ ଆସିଛନ୍ତି । ସ୍କୁଲ ଆରମ୍ଭ ଦିନରୁ ମିଟୁ ସାର ପିଲାଙ୍କୁ ନିରନ୍ତର ଭାବେ ପାଠ ପଢାଇ ଆସୁଛନ୍ତି । ସରକାରୀ ଛୁଟି ବ୍ୟତୀତ ସେ ଆଉ କୌଣସି ଛୁଟି ବି ନିଅନ୍ତି ନାହିଁ । ହେଲେ ଆଜି ଯାଏଁ ସେ ସରକାର କିମ୍ବା ବିଦ୍ୟାଳୟ କମିଟି ଠାରୁ ଟଙ୍କାଟିଏ ପାରିଶ୍ରମିକ ନେଇ ନାହାନ୍ତି । ମିଟୁ ସାରଙ୍କୁ ସରକାରଙ୍କ ତରଫରୁ କିଛି ପାରିଶ୍ରମିକ ଦେବାର ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି । ମିଟୁ ସାରଙ୍କ ସ୍ତ୍ରୀ କଳ୍ପନା କୁମାରୀ ଶତପଥୀ ବାକୁଟ ଗାଁ ପ୍ରାଥମିକ ସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିବା ବେଳେ ତାଙ୍କ ଦରମା ଓ ପୁଅର ରୋଜଗାରରେ ତାଙ୍କ ଘର ଚଳେ।

