ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଲଣ୍ଡା ପଞ୍ଚାୟତ ମଣିଜଙ୍ଘ ପାଟଣାର ଦୁର୍ଲଭ ଓଝା । ଯିଏକି ସମଗ୍ର ଅଞ୍ଚଳରେ ମାଆ ମାଷ୍ଟରାଣୀ ଭାବେ ପରିଚିତ । ବୟସ ଆସି ୮୨ ଛୁଇଁଲାଣି । ହେଲେ ଏବେ ବି ପିଢ଼ି ପରେ ପିଢ଼ି ଧରି ଗାଁ ଚାଟଶାଳୀରେ କୁନି ପିଲାଙ୍କୁ ପାଠ ପଢାଉଛନ୍ତି । ଗାଁର କୁନି କୁନି ପିଲା ତାଙ୍କ ପାଖକୁ ଆସି ପାଠ ପଢ଼ିବା ସହ ଅକ୍ଷର ଶିଖୁଛନ୍ତି। ଅଙ୍ଗନବାଡ଼ିରେ ଯେତିକି ଭିଡ଼ ହୁଏ ନାହିଁ ତାଠାରୁ ଅଧିକ ଭିଡ଼ ଦୁର୍ଲଭ ମାଙ୍କ ଚାଟଶାଳୀରେ ଦେଖିବାକୁ ମିଳେ। ସ୍ବାମୀ ମାଧବ ଓଝା ୧୯୮୨ ମସିହା ବନ୍ୟାରେ ଭାସିଯାଇ ମୃତ୍ୟୁ ବରଣ କରିବା ପରେ ଭାଙ୍ଗିପଡିନଥିଲେ ଦୁର୍ଲଭ । ଆଜକୁ ୪୦ବର୍ଷରୁ ଉର୍ଦ୍ଧ୍ବ ହେବ ଛୋଟ ଛୋଟ ପିଲାଙ୍କୁ ନେଇ ଚାଲିଛି ମା ମାଷ୍ଟ୍ରାଣି ଚାଟଶାଳୀ।
ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଥିଲେ ମଧ୍ୟ ମଣିଜଙ୍ଘ ପାଟଣା ସହିତ ଆଖ ପାଖ ଅଞ୍ଚଳର ଛୋଟ ଛୋଟ ପିଲା ମାନେ ଅଙ୍ଗନବାଡ଼ି କମ୍ ଆଉ ମା ମାଷ୍ଟରାଣୀଙ୍କ ପାଖକୁ ବେଶୀ ଆସନ୍ତି । ଯଦି କେହି କୌଣସି କାରଣବଶତଃ ଆସିନପାରିଲା ନିଜେ ଦୁର୍ଲଭ ମାଆ ଘରକୁ ଯାଇ ଭଲମନ୍ଦ ପଚାରିଆସନ୍ତି। ଯାହାର ବାପା ଏଠି ପଢ଼ୁଥିଲେ, ତାଙ୍କ ପୁଅ ମଧ୍ୟ ଏଠି ପଢୁଛି। ପ୍ରତିଦିନ ୩୦ରୁ ୪୦ ପିଲା ଏହି ଚାଟଶାଳୀକୁ ଆସିଥାନ୍ତି। କିଏ ପଇସା ଦେଉ କି ନଦେଉ ସେଥିରେ ତାଙ୍କର ଦୁଃଖ ନାହିଁ । କିନ୍ତୁ ସମସ୍ତଙ୍କ ପାଇଁ ଏହି ଚାଟଶାଳୀ ସବୁବେଳେ ଖୋଲା । ପିଢ଼ି ପରେ ପିଢ଼ି ଏମିତି ଅନେକ ପିଲାଙ୍କ ଭବିଷ୍ୟତ ତାଙ୍କରି ହାତରେ ଗଢା ଚାଲିଛି।

