ନନ୍ଦିଘୋଷ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦର ଜିଏସଟି ପରିସରଭୁକ୍ତ କରାଯିବାର କେନ୍ଦ୍ର ସରକାରଙ୍କ କିଛି ଯୋଜନା ଅଛି କି ? ସାରାଦେଶରେ ଏକକ ତୈଳ ଦର ଲାଗୁ କରିବାକୁ କେନ୍ଦ୍ର ସରକାର ଏପରି ଏକ ନିଷ୍ପତ୍ତି ନେବେ କି ? ଯଦି ତୈଳ ଦରକୁ ଜିଏସଟି ପରିସରଭୁକ୍ତ କରାଯିବା ଲାଗି ନିଷ୍ପତ୍ତି ନିଆଯାଉଛି ତେବେ ତାହା କେବେ ସୁଦ୍ଧା କାର୍ଯ୍ୟକାରୀ ହେବ ? ଯଦି ଏପରି କିଛି ଯୋଜନା ନାହିଁ ତେବେ କାହିଁକି ନାହିଁ ତାର କାରଣ କହିବେ କି ? ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କୁ ଏପରି ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଏହାର ଜବାବରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ଯାସ ରାଷ୍ଟ୍ର ମନ୍ତ୍ରୀ ସୁରେଶ ଗୋପି କହିଛନ୍ତି, ତୈଳ ଦରକୁ ଜିଏସଟିରେ ସାମିଲ କରିବା କ୍ଷମତା କେବଳ ଜିଏସଟି କାଉନସିଲର । ତୈଳ ଦରକୁ ଜିଏସଟିରେ ସାମିଲ କରିବା କ୍ଷମତା ପେଟ୍ରୋଲିୟମ ମନ୍ତ୍ରାଳୟର ନାହିଁ । ତେଣୁ ଜିଏସଟି କାଉନସିଲ ଏହାର ସର୍ବମୟକର୍ତ୍ତା । ଯଦି କାଉନସିଲ ଚାହୁଁନି ତେବେ ତୈଳ ଦର କେବେ ବି ଜିଏସଟି ପରିସରଭୁକ୍ତ ହୋଇପାରିବନି ।

