ପୁତ୍ର ସନ୍ତାନ ଜନ୍ମ ପରେ ଚାଲିଗଲା ମା’ର ଜୀବନ । ଭୁଲ ଇଂଜେକସନ ଯୋଗୁ ପ୍ରସୂତି ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଏକ ଘରୋଇ ନର୍ସିଂହୋମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବରୀ ରତ୍ନଗିରି ଅଞ୍ଚଳର ସସ୍ମିତା ଜେନା ନାମକ ଗର୍ଭବତୀ ଘରେଇ ନର୍ସିଂହୋମରେ ଭର୍ତ୍ତି ହୋଇଥିଲେ । ଅସ୍ତ୍ରୋପ୍ରଚାର ପରେ ଶିଶୁ ପୁତ୍ର ଜନ୍ମ ହେଲେ ମଧ୍ୟ ମା’ର ମୃତ୍ୟୁକୁ ନେଇ ଉତେଜନା ପ୍ରକାଶ ପାଇଛି । ଭୁଲ ଇଂଜେକସନ ଓ ତ୍ରୁଟିପୂର୍ଣ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଉତ୍ତେଜନା ଯୋଗୁ ଚିକିତ୍ସାଳୟ ମାଲିକ ବାହାର ଗୁଣ୍ଡା ଲଗାଇ ଠେଲାପେଲା ଓ ଧକ୍କା ମାରି ବାହାର କରିଦେବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଗୁଣ୍ଡା ମାନେ କିଏ ତାଙ୍କ ଫଟୋ ସିସି ଫୁଟେଜରୁ ପୋଲିସ ଚିହ୍ନଟ କରୁ ବୋଲି ଦାବି କରିଛନ୍ତି ପରିବାର ଲୋକ। ଏହାସହ ଘରୋଇ ନର୍ସିଂହୋମରେ ସରକାରୀ ଡାକ୍ତରଙ୍କୁ ଘେରି ରହିଛନ୍ତି ସମ୍ପର୍କୀୟ। ଏନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ କଲେ ମୃତକଙ୍କ ପରିବାର।ଘଟଣାସ୍ଥଳରେ ଯାଜପୁର ଟାଉନ ପୁଲିସ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛି ।

