ହାଦି ହତ୍ୟାକାଣ୍ଡ ପରେ ଆକ୍ରମଣକାରୀଙ୍କ ଟାର୍ଗେଟରେ ବାଂଲାଦେଶର ୧୨୭ ନେତା
ନନ୍ଦିଘୋଷ ବ୍ୟୁରୋ: ଇନକିଲାବ ମଞ୍ଚ ପ୍ରବକ୍ତା ଉସମାନ ଫାରୁକ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ନେତାଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଯାଇଛି । ଏହି ଘଟଣା ପରେ ସରକାର ଓ ଗୁଇନ୍ଦା ସଂସ୍ଥା ଆଲର୍ଟରେ ରହିଛନ୍ତି । ପୋଲିସ ଓ ଗୁଇନ୍ଦା ସଂସ୍ଥାକୁ ମିଶାଇ ମୋଟ ୧୨୭ ଜଣ ନେତାଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଯେଉଁମାନଙ୍କ ଜୀବନ ପ୍ରତି ବିପଦ ରହିଛି । ପୋଲିସ ସୂଚନା ଅନୁସାରେ ଏହି ତାଲିକାରେ ଆବାମୀ ଲିଗ୍ ଓ ଜାତୀୟ ଦଳଙ୍କୁ ଛାଡି ପ୍ରାୟ ସବୁ ଦଳର ନେତାଙ୍କ ନାଁ ରହିଛି । ଏଥିରେ ବିଏନପି, ଜମାତ-ଏ-ଇସଲାମ, ନ୍ୟାସନାଲ ସିଟିଜିଅନ ପାର୍ଟି ସମେତ ଏକାଧିକ ଦଳଙ୍କ ଶୀର୍ଷ ଓ ଜିଲ୍ଲା ସ୍ତର ନେତାଙ୍କ ନାଁ ରହିଛି ।
ତାଲିକାରେ ଢାକାରୁ ଆରମ୍ଭ କରି ଦେଶର ପ୍ରାୟ ସବୁ ଜିଲ୍ଲାର ନେତା ରହିଛନ୍ତି । ଯାହାକୁ ସରକାରଙ୍କୁ ପ୍ରଦାନ କରାଯାଇଛି । ଆଉ ରିପୋର୍ଟରେ ଏହି ନେତାଙ୍କ ସୁରକ୍ଷା କାହିଁକି ଆବଶ୍ୟକ ତାହା ଦର୍ଶାଯାଇଛି । ଏହାସହ ଏକାଧିକ ସୁଫାରିସ ମଧ୍ୟ ରିପୋର୍ଟରେ ରହିଛି । ଏଥିରେ ନେତାଙ୍କ ଘରେ ପୋଲିସ ମୁତୟନ, ନିଜସ୍ବ ସୁରକ୍ଷା ଗାର୍ଡ ଓ ଅନ୍ୟ ଆବଶ୍ୟକ ସୁରକ୍ଷା ରହିଛି । ଗତବର୍ଷ ଆନ୍ଦୋଳନରେ ଜଡିତ ଥିବା ନେତାଙ୍କ ନାଁଙ୍କୁ ତାଲିକାରେ ପ୍ରାଥମିକତା ଦିଆଯାଇଛି ।
ସୁରକ୍ଷା ସହ ବନ୍ଧୁକ ବି ଦେଉଛି ସରକାର
ସୁରକ୍ଷା ସହ ବିପଦରେ ଥିବା ନେତାଙ୍କୁ ମାରଣାସ୍ତ୍ର ଯୋଗାଇ ଦେବାକୁ ସରକାର ଚିନ୍ତା କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୭୩ ଜଣ ନେତା ମାରଣାସ୍ତ୍ର ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ଏଥିପାଇଁ ଅନୁମତି ଦିଆସାରିଛି । ଯେଉଁ ନେତାମାନଙ୍କୁ ସୁରକ୍ଷା ଦିଆଯାଇଛି ସେମାନଙ୍କ ମଧ୍ୟରେ ଏନସିପି ସଂଯୋଜକ ନାହିଦ ଇସଲାମ, ଅଖତର ହୁସେନ, ହସନତ ଅବଦୁଲ୍ଲା, ସରଜିସ ଆଲମ, ନାସିରିଦ୍ଧିନ ପଟଓ୍ବାରୀ, ତସନିମ ଜାରା, ପିପୁଲ୍ସ ରାଇଟ୍ସ କାଉନସିଲ ଅଧ୍ୟକ୍ଷ ନୁରୁଲ ହକ ନୁର ଏବଂ ମହାସଚିବ ମୋହମ୍ମଦ ରାଶିଦ ଖାନ ସମେତ ଅନ୍ୟ ବଡ଼ ନେତା ରହିଛନ୍ତି ।
ପୋଲିସ ମୁଖ୍ୟଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ହାଦିଙ୍କ ହତ୍ୟା ପରେ ନିୟମିତ ବୈଠକ ହୋଇଛି । ଗୃହମନ୍ତ୍ରାଳୟ ନିର୍ଦ୍ଦେଶରେ ଆଇଜିପି ସମସ୍ତ ପୋଲିସ ଅଧିକାରୀଙ୍କୁ ଯାଞ୍ଚ କରି ତାଲିକା ପ୍ରସ୍ତୁତ କରିବାକୁ କହିଥିଲେ । ଏହାପରେ ତୁରନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । କିଛି ନେତାଙ୍କ ଘରେ ପୋଲିସ ମୁତୟନ କରାଯାଇଛି ଓ ୨୦ ଜଣ ନେତାଙ୍କୁ ପୂର୍ବରୁ ନିଜସ୍ବ ସୁରକ୍ଷା ପ୍ରଦାନ କରାଯାଇଛି ।
ଗୁଇନ୍ଦା ବିଭାଗ ସୂଚନା
ଗୁଇନ୍ଦା ସଂସ୍ଥା ଚେତବାନୀ ଦେଇ କହିଛି, ଏକ ସଙ୍ଗଠନ ସୀମାବର୍ତ୍ତି ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ସାଧାରଣ ନିର୍ବାଚନ ନେଇ ଘୋଷଣା ପରେ ଏହି ସଙ୍ଗଠନ ଦେଶରେ ଅସ୍ତିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଏହି କ୍ରମରେ ହାଦିଙ୍କୁ ହତ୍ୟା କରାଯାଇଛି ଓ ନଭେମ୍ବର ୨୭ରୁ ବର୍ତ୍ତମାନ ସୁଦ୍ଧା ୧୦ ଜଣ ଲୋକଙ୍କୁ ହତ୍ୟା କରାଯାଇଛି ।

