ଭୁବନେଶ୍ବର : ରାଜରାସ୍ତାରେ ବୁଲୁଛି ଖଣ୍ଡା। କ୍ୟାମ୍ପସରେ ବୋମାମାଡ଼ ସହ ସରକାରୀ କାର୍ଯ୍ୟାଳୟରେ ହେଉଛି ଭଙ୍ଗାରୁଜା । ଯୋଜନାବଦ୍ଧ ଭାବେ କରାଯାଉଛି ଆକ୍ରମଣ। ଅପରାଧ କରି ଖୁଲମ ଖୁଲା ବୁଲୁଛନ୍ତି ଅପରାଧୀ। ଶାସକ ଦଳର ଛତ୍ର ଛାୟାରେ ବଳୀୟାନ ହେଉଛନ୍ତି ଅପରାଧୀ। ଯାହା ପୁରୀ ଜିଲ୍ଲାର ସତ୍ୟବାଦୀ ଘଟଣାରୁ ସ୍ପଷ୍ଟ ହେଉଛି। ଏହାକୁ ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ବିଜେଡି ଅଭିଯୋଗ କରିଛି ଯେ, ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ଦିନଠୁ ଗଣତନ୍ତ୍ରର ହତ୍ୟା ହେଉଛି। କେହି ନ ଥିବା ବେଳେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷକଙ୍କ ଅଫିସରେ ଭଙ୍ଗାରୁଜା ହେଲା। ଦୁଇ ଦିନ ବିତିଥିଲେ ବି ପୋଲିସ ହାତ ଖାଲି। ବିଧାୟକଙ୍କ ଚାରି ପାଖରେ ବସୁଥିବା ଲୋକ ଏହି ଆକ୍ରମଣରେ ସାମିଲ ଅଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି। ଦୋଷୀଙ୍କୁ ଗିରଫ କରା ନ ଗଲେ ବିରାଟ ଆନ୍ଦୋଳନ କରିବାକୁ ଦଳ ଚେତାବନୀ ଦେଇଛି। ସେହିପରି କଂଗ୍ରେସ ମଧ୍ୟ ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ସିଧା ନିଶାନା କରିଛି।
କେବଳ ସରକାରୀ କାର୍ଯ୍ୟାଳୟ କି ସର୍ବସାଧାରଣ ସ୍ଥାନ ନୁହେଁ। ମହିଳାଙ୍କ ପାଇଁ ଓଡ଼ିଶା ସୁରକ୍ଷିତ ନୁହେଁ ବୋଲି ପୂର୍ବରୁ ଆଡଭାଇଜରୀ ଜାରି କରିଥିଲା ଆମେରିକା। ଯାହା ବିଦେଶରେ ଓଡ଼ିଶାର ଛବିକୁ ମଳିନ କରିଛି ବୋଲି ପଦଯାତ୍ରା ମାଧ୍ୟମରେ ଅଭିଯୋଗ କରିଛି ବିଜେଡି। ସେହିପରି ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ଓ ଛାତ୍ର କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରକୁ ଜାଣିଶୁଣି ନାକଚ କରାଯାଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ହେବା ସହ କ୍ୟାମ୍ପସରେ ଅଶାନ୍ତ ପରିବେଶ ସୃଷ୍ଟି କରାଯାଇଛି। ଶାସକ ଦଳର ଇଙ୍ଗିତରେ ଗୁଣ୍ଡାରାଜ ଚାଲିଛି ବୋଲି କହିଛି କଂଗ୍ରେସ। ଜବାବରେ ଆଇନ ମନ୍ତ୍ରୀ କହିଛନ୍ତି, ଘଟଣା ବିଷୟରେ ଅବଗତ ଅଛି। ରାଜ୍ୟରେ ଦିନକୁ ଦିନ ବିଗିଡ଼ି ଗଲାଣି ଆଇନଶୃଙ୍ଖଳା। ଅସୁରକ୍ଷିତ ମଣିଲେଣି ମହିଳା। ସ୍ଥିତି ବିପର୍ଯ୍ୟସ୍ତ ହେବାକୁ ବସିଥିବା ବେଳେ, ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ।

