ବରୀ : ଚାଷୀଙ୍କ ପାଇଁ କାଳ ସାଜିଛନ୍ତି କାଳିମୁଖୀ ପୋକ । ରାତାରାତି ନଷ୍ଟ କରୁଛନ୍ତି ଏକର ଏକର ଫସଲ । କାମ କରୁନି କୀଟନାଶକ । ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଚାଷୀଙ୍କ ନିଦ ହଜାଇ ଦେଲାଣି କାଳିମୁଖୀ ପୋକ । ପୋଟଳ, ଚିନାବାଦାମ, ବିରି, କୋଳଥ ସହ ପନିପରିବା ଫସଲରେ ପୋକ ମାଡିଯିବାରୁ ଗଛ ସବୁ ନଷ୍ଟ ହୋଇଗଲାଣି । ଯାହାକୁ ନେଇ ଚିନ୍ତାରେ ଚାଷୀ ।
ବରୀ ବ୍ଲକ ଫୁଲୁପୁର ଗାଁ ନିକଟରେ ଚଳିତ ବର୍ଷ ଏକର ଏକର ଜମିରେ ବାଦାମ, ବିରି, କୋଳଥ, ପୋଟଳ ଚାଷ ହୋଇଛି । ହେଲେ ସମସ୍ତ ଚାଷ ଜମିରେ ପୋକ ଲାଗିଯିବାରୁ ଗଛ ନଷ୍ଟ ହୋଇଗଲାଣି । ଏପରି ସ୍ଥିତିରେ ମହାଜନ ଠାରୁ ହାତ ଉଦ୍ଧାର କରି ଚାଷ କରିଥିବା ଚାଷୀ କିପରି ଋଣ ସୁଝିବେ ସେଇ ଚିନ୍ତା ଖାଇଯାଉଛି । କିପରି ପରିବାର ପ୍ରତିପୋଷଣ କରିବେ ? ତାକୁ ନେଇ ଚିନ୍ତାରେ ପଡିଥିବା ବେଳେ କୃଷି ବିଭାଗ ଅଧିକାରୀ ନୀରବଦ୍ରଷ୍ଟା ସାଜିଥିବା ଚାଷୀ ଅଭିଯୋଗ କରିଛନ୍ତି । କାଳିମୁଖୀ ପୋକ ଚାଷୀଙ୍କ ନିଦ ହଜାଇଦେଇଥିବା ବେଳେ ସରକାର ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

