ନନ୍ଦିଘୋଷ ବ୍ୟୁରୋ : ଜେଲରେ ରହିବେ କୁଲଦୀପ ସିଂ ସେଙ୍ଗାର। ମୁଖ୍ଯ ଅପରାଧୀର ଆଜୀବନ ଜେଲ ଦଣ୍ଡାଦେଶ ବାତିଲ ଓ ଜାମିନ ଉପରେ ରହିତାଦେଶ ଲଗାଇଲେ ସର୍ବୋଚ୍ଚ ଅଦାଲତ। ଉନ୍ନାଓ ନାବାଳିକା ଗଣ ଦୁଷ୍କର୍ମ ମାମଲାର ମୁଖ୍ଯ ଅପରାଧୀ ତଥା ପୂର୍ବତନ ବିଜେପି ବିଧାୟକ କୁଲଦୀପ ସେଙ୍ଗାରଙ୍କ ଆଜୀବନ ଜେଲ ଦଣ୍ଡାଦେଶକୁ ବାତିଲ କରି ଜାମିନ ପ୍ରଦାନ କରିଥିଲେ ଦିଲ୍ଲୀ ହାଇକୋର୍ଟ। ଏଭଳି ସଙ୍ଗୀନ ମାମଲାରେ ଗତ ୨୩ ତାରିଖରେ ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ଅନେକ ପ୍ରଶ୍ନ ଠିଆ କରିଛି। ସିବିଆଇର ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ଯକାନ୍ତଙ୍କ ଅଧ୍ଯକ୍ଷତାରେ ୩ ଜଣିଆ ଅବକାଶକାଳୀନ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି। ଆସନ୍ତା ୪ ସପ୍ତାହ ଭିତରେ ଉତ୍ତର ରଖିବାକୁ ସେଙ୍ଗାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ। ହାଇକୋର୍ଟ ରାୟ ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ଓ ତାଙ୍କ ପରିବାର ଦିଲ୍ଲୀ ହାଇକୋର୍ଟ ସାମ୍ନାରେ ଧାରଣା ଦେଇଥିଲେ। ପରେ ଧାରଣା ସ୍ଥଳରୁ ଦିଲ୍ଲୀ ପୋଲିସ ପୀଡ଼ିତାଙ୍କୁ ଉଠାଇନେବା ପରେ ରାୟକୁ ବିରୋଧ କରି ଦିଲ୍ଲୀ ସମେତ ସାରା ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଲୋକଙ୍କ ଆକ୍ରୋଶ ଦେଖିବା ପରେ ସିବିଆଇ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ଯକାନ୍ତ, ଜଷ୍ଟିସ ଜେକେ ମାହେଶ୍ୱରୀ ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠଙ୍କ ରାୟ ସାମାଜିକ କର୍ମୀଙ୍କୁ କରିଛି ଆଶ୍ବସ୍ତି। ପକସୋ ଆଇନରେ ଜନ ପ୍ରତିନିଧିଙ୍କ କୌଣସି ସଂଜ୍ଞା ନିରୂପଣ କରାଯାଇନି ବୋଲି ପିଟିସନରେ ଦର୍ଶାଇଥିଲା ସିବିଆଇ। ଏହା ଏକ ଭୟାନକ ଅପରାଧ ବୋଲି କହିଥିଲେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା। ତେବେ ସୁପ୍ରିମକୋର୍ଟଙ୍କ ଆଜିର ରାୟ କୌଣସି ବିଜୟ ନୁହେଁ ବୋଲି କହିଛନ୍ତି ପୀଡ଼ିତାଙ୍କ ଓକିଲ।..
ଏବେ ଆସନ୍ତୁ ନଜର ପକାଇବା ଏହି ବହୁଚର୍ଚ୍ଚିତ ଘଟଣା ନେଇ କଣ କହିଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଉନ୍ନାଓ ପୀଡ଼ିତା ସ୍ବତନ୍ତ୍ର ଭାବେ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ ପିଟିସନ ଦାଖଲ କରିପାରିବେ। ପୀଡ଼ିତାଙ୍କୁ ସୁପ୍ରିମକୋର୍ଟଙ୍କ ଲିଗାଲ ସର୍ଭିସ ସେଲ ଜରିଆରେ ଆଇନଗତ ସହାୟତା ବିନା ଖର୍ଚ୍ଚରେ ମିଳିପାରିବ। ପକ୍ସୋ ଆଇନରେ ଜନ ପ୍ରତିନିଧିଙ୍କ କୌଣସି ସଂଜ୍ଞା ନିରୂପଣ କରାଯାଇନି।
ସାଧାରଣତଃ ଜିଲ୍ଲା ଦୌରାଜଜ କୋର୍ଟ ଓ ହାଇକୋର୍ଟ ଦୋଷୀକୁ ଜାମିନ ପ୍ରଦାନ କରିବାର କ୍ଷମତା ରହିଛି। କିନ୍ତୁ ଜାମିନ ପ୍ରଦାନ ମାମଲା ଯଦି ସୁପ୍ରିମକୋର୍ଟକୁ ଆସେ ତାହେଲେ ସେ କ୍ଷେତ୍ରରେ ଦୋଷୀଙ୍କ ପକ୍ଷ ନ ଶୁଣି ସର୍ବୋଚ୍ଚ ଅଦାଲତ କୌଣସି ନିଷ୍ପତ୍ତି ନିଅନ୍ତିନି। କିନ୍ତୁ ଉନ୍ନାଓ ଗଣ ଦୁଷ୍କର୍ମ ମାମଲା ଏକ ସଙ୍ଗୀନ ମାମଲା ହୋଇଥିବାରୁ ଯାହା ଉପରୋ କୋର୍ଟ ରହିତାଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ପୀଡ଼ିତାଙ୍କ ମାଆ ସର୍ବୋଚ୍ଚ ଅଦାଲତଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେପଟେ ପୀଡ଼ିତା କହିଛନ୍ତି କୂଲଦୀପ ସେଙ୍ଗାରଙ୍କୁ ଫାଶୀଖୁଣ୍ଟରେ ନ ଝୁଲାଇବା ପର୍ଯ୍ଯନ୍ତ ସେ ଲଢ଼େଇ ଜାରି ରଖିବେ। ୨୦୧୭ ଜୁନରେ ଉତ୍ତର ପ୍ରଦେଶ ଉନ୍ନାଓ ଘଟିଥିଲା ଏହି କଳଙ୍କିତ ଘଟଣା। ନ୍ୟାୟ ଲାଗି ଏପ୍ରିଲ ୨୦୧୮ରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ ପୀଡ଼ିତା। ପରେ ସୁପ୍ରିମକୋର୍ଟ ଏହି ମାମଲାକୁ ଉତ୍ତରପ୍ରଦେଶରୁ ଦିଲ୍ଲୀକୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେଇଥିଲେ। ପୀଡିତାଙ୍କ ବାପାଙ୍କୁ ହତ୍ୟା କରିବା ଅଭିଯୋଗରେ ଜଡ଼ିତ ଏକ ପୃଥକ ମାମଲାରେ ୧୦ ବର୍ଷ ଜେଲଦଣ୍ଡ ହେତୁ ସେଙ୍ଗାର ଅଛନ୍ତି ଜେଲରେ ।

