ଇଂରାଜୀ ନବ ବର୍ଷ ୨୦୨୬ର ପ୍ରଥମ ଦିନ। ସରକାରୀ କାର୍ଯ୍ୟଦିବସ ଯୋଗୁଁ ଲୋକସେବା ଭବନରେ ଭିଡ଼। ସଚିବଙ୍କ ଚ୍ୟାମ୍ବରଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ କରିଡ଼ର, ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲା ଯାଏଁ ସବୁଠି ଭିଡ଼। ହେଲେ କଡ଼ାକଡ଼ି ପାଳନ ହେଉଥିଲା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମା। କାହା ହାତରେ ଦେଖିବାକୁ ମଳିନଥିଲା ଫୁଲତୋଡ଼ା କି ଗିଫ୍ଟ ପ୍ୟାକ୍। ଉତ୍ତମ ପରିପାଟୀରେ କାର୍ଯ୍ୟାଳୟକୁ ଆସିଥିବା କର୍ମଚାରୀମାନେ କେବଳ ସହଯୋଗୀଙ୍କ ସହ ଫଟୋ ଉଠାଇ, ଲୋକସେବା ଭବନର ଲନ୍ ବୁଲି କାମ ଚଳାଇଥିଲେ। ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରଥମ ଦିନରେ ଅଧିକ କାମ କରିବାକୁ ଇଚ୍ଛା କରିଥିଲେ। ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ । ରାଜ୍ୟବାସୀଙ୍କ ପାଇଁ ଅଧିକରୁ ଅଧିକ କାମ କରିବାକୁ କହିଛନ୍ତି ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।
ନୂଆ ବର୍ଷରେ ପ୍ରଶାସନକୁ ଚଳଚଞ୍ଚଳ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ୧୫ ସୂତ୍ରୀ ପରାମର୍ଶ। ୨୦୩୬ ସୁଦ୍ଧା ୫ଶହ ବିଲିଅନ ଡଲାର ଅର୍ଥନୀତି ସହ ମିଶ୍ରିତ ଇକୋନୋମି ପାଇଁ ଲକ୍ଷ୍ୟ ରଖିଛନ୍ତି । ସେବା କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୨ବର୍ଷ ମଧ୍ୟରେ ଖାଲିଥିବା ସରକାରୀ ପଦବୀ ପୂରଣ ପାଇଁ ପଦକ୍ଷେପ ନେବା ସହ ଦୁର୍ନୀତିଗ୍ରସ୍ତ, ଅପାରଗ, ଦାୟିତ୍ବହୀନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପ୍ରକଳ୍ପର ନିୟମିତ ମୂଲ୍ୟାୟନ ଓ ସମୀକ୍ଷା ପାଇଁ ଗୁରୁତ୍ବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ମୁଖ୍ୟ ସଚିବଙ୍କ ସହ ବିଭିନ୍ନ ବିଭଗୀୟ ସଚିବଙ୍କ ସହ ବର୍ଷକର ରୋଡମ୍ୟାପ ନେଇ ଆଲୋଚନା କରିଛନ୍ତି । ଲୋକଙ୍କ ଅଭିଯୋଗ ଶୁଣାଣିକୁ ସଚିବାଳୟରୁ ବ୍ଲକ ଓ ତହସିଲ ସ୍ତର ଯାଏଁ ବ୍ୟାପକ କରିବା ସହ ସୋସିଆଲ ମିଡିଆ ବ୍ୟବହାର ବୃଦ୍ଧି କରିବାକୁ କହିଛନ୍ତି । ଓଡ଼ିଆ ଭାଷାକୁ ଶାସନର ଭାଷା କରିବାକୁ ପ୍ରତିବଦ୍ଧତା ଦେଖାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ପ୍ରତି ବର୍ଷ ପରି ଏଥର ଲୋକସେବା ଭବନରେ ନା ଥିଲା ଭୋଜିଭାତର ଆସର, ନା ଥିଲା ଅଭିନନ୍ଦନର ସୁଅ। ନା ଥିଲା ଫୁଲ ତୋଡ଼ାର ସମ୍ଭାର ନା ଦେଖିବାକୁ ମିଳିଥିଲା ଗିଫ୍ଟ ପ୍ୟାକ୍। ତଥାପି ସୁଯୋଗ ହାତଛଡ଼ା ନ କରି କିଛି କର୍ମଚାରୀ ଫଟୋ ଉଠାଇ କାମ ଚଳାଇଥିଲେ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ମୁଖ୍ୟ ସଚିବ ଓ ବିଭିନ୍ନ ସଚିବଙ୍କ କାର୍ଯ୍ୟାଳୟ ବର୍ଷର ପ୍ରଥମ ଦିନରେ କାମକୁ ନେଇ ଚଳଚଞ୍ଚଳ ଥିଲା।

