ଜାନୁଆରୀ ୩ ତାରିଖରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମଦୁରୋଙ୍କୁ ଉଠାଇ ନେଇଥିଲା ଆମେରିକା । ଏହି ଅପରେସନକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନିଜ ଦେଶରେ ଥାଇ ଦେଖୁଥିଲେ । ଆମେରିକା ସେନା ମଦୁରୋ ଓ ତାଙ୍କ ପତ୍ନୀ ସିଲିୟା ଫ୍ଲୋରେସଙ୍କୁ କରାକସରୁ ଉଠାଇ ନେଇଥିଲା । ଯେଉଁ ସମୟରେ ମିଲିଟାରୀ ଆକ୍ସନ ହୋଇଥିଲା, ସେହି ସମୟରେ ଭେନେଜୁଏଲାର ସବୁଠାରୁ ଆଡଭାନ୍ସ ଋଷୀୟ ଏୟାର ଡିଫେନ୍ସ ସିଷ୍ଟମ ଫେଲ୍ ମାରିଥିଲା । ଋଷ ଠାରୁ କିଣାଯାଇଥିବା S-300 ଓ Buk-M2 ପରି ସିଷ୍ଟମ ଓ ଅନେକ ମିସାଇଲ ଲଞ୍ଚର ଗୋଦାମରେ ରଖାଯାଇଥିଲା । ଏଗୁଡ଼ିକୁ ସୈନିକ ଚଳାଇ ପାରିନଥିଲେ ।
ଏହି କାରଣରୁ ଭେନେଜୁଏଲାର ଏୟାର ସ୍ପେସରେ ପ୍ରବେଶ କରିବା ଆମେରିକା ପାଇଁ ବହୁତ ସହଜ ହୋଇଯାଇଥିଲା । ଏହି ଏୟାର ଡିଫେନ୍ସ ସିଷ୍ଟମ ଭେନେଜୁଏଲା ଓ ଋଷର ନିବିଡ଼ ବନ୍ଧୁତ୍ବକୁ ପ୍ରତିପାଦିତ କରିଥିଲା । ୨୦୦୯ରେ ଆମେରିକା ସହ ଉତ୍ତେଜନା ମଧ୍ୟରେ ଭେନେଜୁଏଲା ଏହାକୁ ଋଷଠାରୁ କିଣିଥିଲା । ଏହି ହତିଆର ଆମେରିକାର କୌଣସି ହମଲାକୁ ରୋକିବାକୁ ସକ୍ଷମ ହେବ ବୋଲି ସେ ସମୟରେ ଭେନେଜୁଏଲା ରାଷ୍ଟ୍ରପତି କହିଥିଲେ, ମାତ୍ର ସେପରି ହୋଇନଥିଲା ।
ନ୍ୟୁୟର୍କ ଟାଇମ୍ସର ଯାଞ୍ଚରେ ଜଣାପଡ଼ିଥିଲା ଯେ, ହମଲା ସମୟରେ ଏୟାର ଡିଫେନ୍ସ ସିଷ୍ଟମର କିଛି ଅଂଶ ଏବେ ବି ଗୋଦାମରେ ପଡ଼ିରହିଥିଲା ଓ ମୁତୟନ କରାଯାଇନଥିଲା । ତେଣୁ ଏଥିରୁ ସ୍ପଷ୍ଟ ହେଉଛି, ଚେତାବନୀ ପରେ ବି ଭେନେଜୁଏଲର ଆମେରିକା ଆକ୍ରମଣ ପାଇଁ ପ୍ରସ୍ତୁତ ନଥିଲା । ପୂର୍ବତନ ସିଆଇଏ ଅଧିକାରୀଙ୍କ ମତରେ, କିଛି ବର୍ଷ ଧରି ଚାଲିଆସିଥିବା ଭ୍ରଷ୍ଟାଚାର, ଖରାପ ବ୍ୟବସ୍ଥା ଓ ଅନ୍ତରାଷ୍ଟ୍ରୀୟ ପ୍ରତିବନ୍ଧକ ଭେନେଜୁଏଲାର ଏୟାର ଡିଫେନ୍ସ ସିଷ୍ଟମକୁ ବହୁତ ଦୁର୍ବଳ କରିଦେଇଥିଲା । ଏହି ସିଷ୍ଟମକୁ ଚାଲୁ ରଖିବାର ଦାୟିତ୍ବ ଋଷର ମଧ୍ୟ ରହିଥିଲା । କାରଣ ଋଷୀୟ ଟ୍ରେନର ଓ ଟେକ୍ନିସିଆନ ହିଁ ଏହାକୁ ଅପରେଟ କରିବାରେ ସହାୟତା କରିଥିଲେ ।
ଏକ୍ସପର୍ଟଙ୍କ ମୁତାବକ, ୟୁକ୍ରେନ ଯୁଦ୍ଧରେ ସାମିଲ ହେବା କାରଣରୁ ଋଷ, ଭେନେଜୁଏଲ ଏହି ସିଷ୍ଟମ ଉପରେ ଧ୍ୟାନ ଦେଇ ପାରିନଥିଲେ । ଋଷ ଜାଣିଶୁଣି ଏହାକୁ ଠିକରେ କାମ କରିବାକୁ ଦେଇ ନଥିଲା ବୋଲି କିଛି ପୂର୍ବ ଆମେରିକୀୟ ଅଧିକାରୀ କହିଛନ୍ତି । ଭେନେଜୁଏଲା ଋଷ ଠାରୁ ହତିଆର କିଣିଥିଲେ ହେଁ ସ୍ପୟାର ପାର୍ଟସ ଓ ଟେକନିକ ସହାୟତା ପାଇବା ମୁସ୍କିଲ ହୋଇଯାଇଥିଲା । ତାହାକୁ ଠିକ କରିବାର କ୍ଷମତା ଓ ଠିକରେ ଚଳାଇବାର ଅନୁଭବ ଭେନେଜୁଏଲା ନିକଟରେ ନଥିଲା ।
ଆମେରିକା ହମଲା ପରେ ସେନା ସମ୍ପୂର୍ଣ୍ଣ ଭାବେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ରାଡାର ଚାଲୁ ନଥିଲା, ସୈନିକ ଠକ ଜାଗାରେ ମୁତୟନ ନଥିଲେ । ଆମେରିକା ବିମାନକୁ କୌଣସି ବିପଦ ନଥିଲା । ଆମେରିକା ଆକ୍ରମଣରେ ଚୀନ ଠାରୁ ମିଳିଥିବା ରାଡାର ମଧ୍ୟ ଧ୍ବଂସ ହୋଇଯାଇଥିଲା ।

