ରାୟଗଡା : ଖୋଲିଛି ମଣ୍ଡି, ମିଳୁନି ଟୋକନ । ଶୀତ କାକରରେ ଧାନ ଭିଜି ହେଲାଣି ଗଜା । ରାୟଗଡା ଜିଲ୍ଲାରେ ଟୋକନ ଟେନସନରେ ପେଷି ହେଲେଣି ଚାଷୀ । ଜିଲ୍ଲାର ୩୫ ପ୍ରତିଶତ ଚାଷୀଙ୍କୁ ଏଯାଏଁ ମିଳିନି ଟୋକନ । ଫଳରେ ଅନେକ ଚାଷୀଙ୍କ ଧାନ ଖଳା ଓ ମଣ୍ଡିରେ ପଡି ନଷ୍ଟ ହେବାରେ ଲାଗିଛି । ଜିଲ୍ଲାରେ ଖରିଫ ଧାନ ବିକ୍ରି କରିବା ପାଇଁ ୨୧ ହଜାର ୪୮୬ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ । ହେଲେ ଏଯାଏଁ ମାତ୍ର ୧୯୧୪ ଜଣ ଚାଷୀଙ୍କ ୯୮ ହଜାର ୯୦୫ କ୍ଵିଣ୍ଟାଲ ଧାନ କିଣାଯାଇଛି । ସେପଟେ ମିଲର୍ସ ମାନଙ୍କୁ ଆବଶ୍ୟକ ସଂଖ୍ୟକ ଟାର୍ଗେଟ ମିଳିନଥିବାରୁ ସେମାନେ ମନମାନି କରୁଥିବା ଅଭିଯୋଗ ହୋଇଛି ।
ଗତବର୍ଷ ଜିଲ୍ଲାରୁ ୧୩ ଲକ୍ଷ କ୍ଵିଣ୍ଟାଲ ଧାନ କିଣିବାକୁ ମିଲର୍ସଙ୍କୁ ଟାର୍ଗେଟ ମିଳିଥିଲା । ଚଳିତ ଥର ତାହା ହ୍ରାସ ପାଇ ମାତ୍ର ୭ ଲକ୍ଷ ୫୦ ହଜାର କ୍ଵିଣ୍ଟାଲ ଧାନ କିଣିବାକୁ ଅନୁମତି ମିଳିଛି । ତେବେ ଉତ୍ପାଦିତ ହୋଇଥିବା ବଳକା ଧାନକୁ ଚାଷୀ କାହାକୁ ବିକ୍ରି କରିବେ ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ସମବାୟ କିମ୍ବା ଯୋଗାଣ ବିଭାଗର କୌଣସି ଅଧିକାରୀ ମୁହଁ ଖୋଲୁନଥିବା ବେଳେ ଧାନ ବିକ୍ରି ଅବ୍ୟବସ୍ଥାକୁ ବିରୋଧ କରିଛନ୍ତି ରାୟଗଡା ବିଧାୟକ । ଟୋକନ ଟେନସନ ନେଇ ଆନ୍ଦୋଳନ ମୁହାଁ ହେଲେଣି ଚାଷୀ ।

