ଭୁବନେଶ୍ୱର : ଉପାସରେ ପ୍ରଭୁ ଶ୍ରୀ ଲିଙ୍ଗରାଜ । ବନ୍ଦ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ।ସେବାରେ ବିଭ୍ରାଟ ନେଇ ବ୍ରାହ୍ମଣ ଓ ବଡୁ ନିଯୋଗ ଦୋଷ ଲଦାଲଦି । ନବାଙ୍କ ବେଢା ନୀତି ଠାରୁ ବନ୍ଦ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ମଙ୍ଗଳବାର କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଉପୁଜିଥିଲା । ପରେ ନୀତି ବନ୍ଦ ରହିଥିଲା । ଠାକୁରଙ୍କ ଘୃତକମ୍ବଳ ନୀତି ହୋଇପାରିନଥିଲା । ଫଳରେ ମକର ସଂକ୍ରାନ୍ତିରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିବ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ । ଯେପର୍ଯ୍ୟନ୍ତ ପ୍ରଭୁ ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ଆଇନ ନଆସିଛି ସେ ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିଥିବ ବୋଲି କହିଛି ବ୍ରାହ୍ମଣ ନିଯୋଗ ସମ୍ପାଦକ। ୨୦୨୪ ଯାଏଁ ବଡୁ ସେବାୟତ ଘୃତକମ୍ବଳ ନୀତି କରୁଥିଲେ। ହଠାତ ୨୦୨୫ ରେ କାହିଁକି ଏଥିରେ ପରିବର୍ତ୍ତନ ହେଲା ବୋଲି ବଡୁ ନିଯୋଗ ପ୍ରଶ୍ନ କରିଛି । ଏନେଇ କୋର୍ଟରେ ମାମଲା ବି ରହିଛି । ୨୦୨୬ ଫେବ୍ରୁଆରୀ ରେ ପରବର୍ତ୍ତୀ ଶୁଣାଣୀ ହେବ। ଏନେଇ ଦେବୋତ୍ତର କମିଶନ ନିକଟରେ ଅଭିଯୋଗ ହୋଇଥିଲା । ମନ୍ଦିର ପ୍ରଶାସନ ଏଥିରେ ହସ୍ତକ୍ଷେପ କରିଥିଲେ କ୍ଷୀର ଆଉଟା ନୀତିକୁ ବାଦ ଦେଇ ଅନ୍ୟ ସମସ୍ତ ନୀତି ହୋଇପାରିଥାନ୍ତା । କିନ୍ତୁ ଗତକାଲି ଠାରୁ ଏବେ ଯାଏଁ ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବାରୁ ନୀତିକାନ୍ତି ବନ୍ଦ ରହିଛି।
ପ୍ରଭୁ ଲିଙ୍ଗରାଜ ଉପାସରେ ଥିବାରୁ ଶ୍ରଦ୍ଧାଳୁଙ୍କ ଭିତରେ କ୍ଷୋଭ ପ୍ରକାଶ ପାଇଛି। ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ, ସବୁ ଖାଁ ଖାଁ ଲାଗୁଛି । ପ୍ରଭୁଙ୍କର ଆଳତି ବି ହୋଇନି । ଠାକୁରଙ୍କୁ ଦେଖି ଭାରି ଦୁଃଖ ଲାଗିଛି । ବିଶେଷ ଦିନରେ ଠାକୁର ସଜ ହୋଇପାରିନାହାନ୍ତି । ସରକାର ଓ ପ୍ରଶାସନ ହସ୍ତକ୍ଷେପ କରି ଆଲୋଚନା ମାଧ୍ୟମରେ ତୁରନ୍ତ ଏହାର ସମାଧାନ କରନ୍ତୁ। ନିଯୋଗ ନିଯୋଗ ଭିତରେ ବିବାଦ ପାଇଁ ପ୍ରଭୁ ଲିଙ୍ଗରାଜ ଙ୍କୁ ଉପାସରେ ରଖିବା ଠିକ୍ ନୁହେଁ ବୋଲି କହିଛନ୍ତି ଶ୍ରଦ୍ଧାଳୁ । ଆଉ କେତେଦିନ ପ୍ରଭୁ ଲିଙ୍ଗରାଜ ଏମିତି ଉପାସରେ ରହିବେ ? ଭକ୍ତଙ୍କ ଭାବାବେଗ ସହ ଏମିତି କେତେ ଦିନ ଖେଳ ଖେଳାଯିବ ? ନିଯୋଗ ବିବାଦର କେବେ ସମାଧାନ ହେବ ? ବୋଲି ପ୍ରଶ୍ନ ଉଠିଛି ।

