ଭୁବନେଶ୍ବର : ବଜେଟ ପାଇଁ ମାନସ ମନ୍ଥନ । ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ । ବଜେଟ ଖର୍ଚ୍ଚ ନେଇ ବିଜେଡି ଉଠାଇଲା ପ୍ରଶ୍ନ । ଅର୍ଥ ଖର୍ଚ୍ଚକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ । ୨୦୨୬-୨୭ ବାର୍ଷିକ ବଜେଟକୁ ନେଇ ରାଜ୍ୟ ସରକାର ଜୋରଦାର କରିଛନ୍ତି ମାନସ ମନ୍ଥନ । ଏଥିଲାଗି ୧୭ ଓ ୧୯ ତାରିଖ ଦୁଇ ଦିନ ଧରି ସବୁ ବିଭାଗର ବ୍ୟୟ ଅଟକଳକୁ ନେଇ ଆଲୋଚନା ହେବ। ନିଜ ନିଜ ବିଭାଗର ବଜେଟ ଆକାର ସହ ଖର୍ଚ୍ଚକୁ ନେଇ ବୈଠକରେ ଆଲୋଚନା ହେବା ସହ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ। ଏନେଇ ଯୋଜନା ଓ ସଂଯୋଜନା ବିଭାଗ ଅଣ୍ଟା ଭିଡ଼ିଛି । ବଡ ବଜେଟକୁ ନେଇ ସରକାର ଯୋଜନା କରୁଥିବା ବେଳେ ବିରୋଧୀ ଖର୍ଚ୍ଚର ହିସାବ ମାଗିଛନ୍ତି । ବିଜେଡି ବିଧାୟକ ସାରଦା ଜେନା ଅଭିଯୋଗ କରିଛନ୍ତି ବଜେଟ ଅର୍ଥ ଖର୍ଚ୍ଚ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ l ନିର୍ଦ୍ଧାରିତ ସମୟରେ ସରକାର ଟଙ୍କା ଖର୍ଚ୍ଚ କରିପାରୁନାହାଁନ୍ତି । ଯେଉଁଥିପାଇଁ ସବୁ ଜିଲ୍ଲାରେ ବିକାଶ କାମ ଠପ ହୋଇଯାଇଛି। ମାର୍ଚ୍ଚ ସୁଦ୍ଧା ମୂଳ ବଜେଟ ସହ ଅତିରିକ୍ତ ବଜେଟ ଅର୍ଥ ଖର୍ଚ୍ଚ କରିବା ନେଇ ସନ୍ଦେହ ରହିଛି । ତେଣୁ ସରକାର ବଜେଟ ଅର୍ଥ କିପରି ଖର୍ଚ୍ଚ ହେବ ସେ ଚିନ୍ତା ପ୍ରଥମେ କରନ୍ତୁ ବୋଲି ବିଜେଡି ପରାମର୍ଶ ଦେଇଛି ।
୨୦୨୪-୨୫ ଆର୍ଥିକ ବର୍ଷ ତୁଳନାରେ ୨୦୨୫-୨୬ ପାଇଁ ରାଜ୍ୟ ସରକାର ବଜେଟ ଆକାରରେ ୯.୪ ପ୍ରତିଶତ ବୃଦ୍ଧି କରିଥିଲେ । ୨୦୨୪-୨୫ରେ ୨ଲକ୍ଷ ୬୫ ହଜାର କୋଟିର ବଜେଟ ପ୍ରସ୍ତୁତ ହୋଇଥିଲା । ୨୦୨୫-୨୬ରେ ବଜେଟ ଆକାର ୨ଲକ୍ଷ ୯୦ ହଜାର କୋଟିକୁ ବଢିଥିଲା। ଏଥିସହିତ ୨୦୨୫ ଡିସେମ୍ବରରେ ସରକାର ଆଣିଥିଲେ ୧୭ହଜାର ୪୪୦ କୋଟିର ଅତିରିକ୍ତ ବଜେଟ । ଏମିତି ମୂଳ ବଜେଟ ଓ ଅତିରିକ୍ତ ବଜେଟକୁ ମିଶାଇଲେ ରାଜ୍ୟ ସରକାର ବର୍ଷକ ପାଇଁ ୩ ଲକ୍ଷ ୭ ହଜାର ୪୪୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି । ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, ବଜେଟ ଅର୍ଥକୁ ସରକାର ବିଲ୍ କରି ନେଉଯାଉଛନ୍ତି l ଯାହା ବଜେଟରେ ଘୋଷଣା କରିଛନ୍ତି ତାହା ୨ବର୍ଷ ଭିତରେ ପୂରଣ କରିବାରେ ଫେଲ ହୋଇଛନ୍ତି l କୁଆଡେ ଗଲା ସବୁ ଜିଲ୍ଲାରେ ଶୀତଳ ଭଣ୍ଡାର, ମାଛ ଚାଷରେ କେତେ ସଫଳ ? ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି ଶିକ୍ଷା ବ୍ୟବସ୍ଥା ସୁଧାର ପାଇଁ ବଜେଟରେ ଅଧିକ ଅର୍ଥ ବ୍ୟୟ ବରାଦ ଆବଶ୍ୟକ l ସରକାରୀ ହିସାବ କହୁଛି ଡିସେମ୍ବର ସୁଦ୍ଧା ରାଜ୍ୟ ସରକାରଙ୍କ ପ୍ରଶାସନିକ ଖର୍ଚ୍ଚ ଥିଲା ୪୪ ପ୍ରତିଶତ ଓ କାର୍ଯ୍ୟକ୍ରମ ଖର୍ଚ୍ଚ ଥିଲା ୩୬ ପ୍ରତିଶତ । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ l

