spot_img

Latest Posts

ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଅନୁଗୁଳ, ପ୍ଲାଣ୍ଟ ନାହିଁ, ବର୍ଜ୍ଯବସ୍ତୁକୁ ପୋଡିଦିଆଯାଉଛି

ଅନୁଗୁଳ : ବାୟୁ ପ୍ରଦୂଷଣରେ ଆକତାମାକତା ଅନୁଗୁଳ। ତା’ ଉପରେ ପୌରପାଳିକାର ବେପରୁଆ ନୀତି। ପ୍ରଦୂଷଣରେ ଅଣନିଃସ୍ବାଶୀ ସ୍ଥାନୀୟ ବାସିନ୍ଦା। ଭୟଙ୍କର ହେଲାଣି ସ୍ଥିତି। ହେଲେ ସ୍ଥାନୀୟ ପ୍ରଶାସନ ବେଧଡ଼କ ଭାବେ ଲୋକଙ୍କ ଜୀବନ ସହ ଖେଳୁଛି ଖେଳ। ଅନୁଗୁଳ ପୌରପାଳିକାର ଏଭଳି ନୀତି ବିରୋଧରେ ଏବେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଗଲା କିଛି ଦିନ ହେବ ଅନୁଗୁଳ ସହରରେ ବାୟୂର ମାନ AQI ୩୦୦ ପାର ହୋଇଥିଲା । ହେଲେ ପୌର ପ୍ରଶାସନର ଖାମଖିଆଲି ନୀତି ଏବେ ଜନଜୀବନକୁ ଆହୁରି ବିପନ୍ନ କଲାଭଳି ଅଭିଯୋଗ ହୋଇଛି। ପ୍ରତିଘରୁ ପୌରପାଳିକା ପକ୍ଷରୁ କଠିନ ବର୍ଜ୍ଯବସ୍ତୁ ସଂଗ୍ରହ ହେଉଛି। ବର୍ଜ୍ଯବସ୍ତକୁ ପୃଥକୀକରଣ କରାଯାଉଛି କି ନାହିଁ ତାହେ କେହି ଜାଣନ୍ତି ନାହିଁ। ସହରର ବର୍ଜ୍ଯବସ୍ତୁକୁ ନିଆଁ ଲଗାଇ ପୋଡ଼ି ଦିଆଯାଉଛି। ସ୍ଥିତି ଏମିତି ହୋଇଛି ପ୍ଲାଷ୍ଟିକ ଓ ଅନ୍ଯାନ୍ଯ କଠିନ ବର୍ଜ୍ଯବସ୍ତୁ ଧୂଆଁ ବାୟୁମଣ୍ଡଳକୁ ବିଷାକ୍ତ କାର୍ବନ ନିର୍ଗମନ ହେବା ସହ ପ୍ରଦୂଷଣ ମାତ୍ରାକୁ ଆହୁରି ବଢ଼ାଉଥିବା ଅଭିଯୋଗ ହୋଇଛି।

ଦିନକୁ ଦିନ ବୃଦ୍ଧି ପାଉଛି ଅନୁଗୁଳରେ ଜନସଂଖ୍ଯା। ଜନସଂଖ୍ଯାକୁ ଦେଖି ବୈଜ୍ଞାନିକ ପଦ୍ଧତିରେ କିପରି ସହରାଞ୍ଚଳ ବର୍ଜ୍ଯବସ୍ତୁ ପରିଚାଳନା ହେବ ସେ ନେଇ ପୌର ପ୍ରଶାସନର ନିଘା ନାହିଁ। ଆବର୍ଜନା ପାଇଁ ଏବେ ଅନୁଗୁଳ ସହର ସମେତ ଆଖପାଖ ଅଂଚଳରେ ବସବାସ କରୁଥିବା ଲୋକଙ୍କ ସ୍ବାସ୍ଥ୍ଯ ଉପରେ ଗଭୀର ପ୍ରଭାବ ପକାଇଲାଣି। ଅନୁଗୁଳ ପୌରାଞ୍ଚଳ ଡମ୍ପିଂୟାର୍ଡ଼କୁ ଲାଗିଛି ୬୦୦ ହେକ୍ଟର ପରିମିତ ମନ୍ଦରଗିରି ପାହାଡ଼। ଏହି ପାହାଡ଼ରେ ଅନେକ ଔଷଧୀୟ ବୃକ୍ଷଲତା ରହିଛି। ଏଠାକାର ଜଡ଼ିବୁଟି ଓ ଜୈବବିବିଧତା ପରିବେଶ ସନ୍ତୁଳନ ପାଇଁ ନିହାତି ଜରୁରୀ। କିନ୍ତୁ ସ୍ଥାନୀୟ ପ୍ରଶାସନ ପାହାଡ଼ ନିକଟରେ ଆବର୍ଜନାର ଡମ୍ପିଂୟାର୍ଡ଼ କରିଛି। ପ୍ରତିଦିନ ଟନଟନ ବର୍ଜ୍ଯବସ୍ତୁ ଏଠାରେ ଗଦା କରାଯାଇ ପୋଡ଼ାଯାଉଛି। ଯାହାକୁ ନେଇ ଚିନ୍ତାରେ ପରିବେଶବିତ ଓ ସାଧାରଣ ଲୋକେ। ଦେଶରେ ସବୁଠୁ ଦୂଷିତ ସହର ଭାବେ ଚିହ୍ନଟ ହେଲାଣି ଅନୁଗୁଳ। ହେଲେ ପୌର ପ୍ରଶାସନ ବର୍ଜ୍ଯବସ୍ତୁ ପୃଥକୀକରଣ କରିବା ପାଇଁ ପ୍ଲାଣ୍ଟ ପ୍ରତିଷ୍ଠା କରିନାହିଁ। ଡମ୍ପିଂୟାର୍ଡ଼ରେ ନିଆଁ ଆପେ ଆପେ ଲାଗୁଛି ବୋଲି କହିଛନ୍ତି କାର୍ଯ୍ଯ ନିର୍ବାହୀ ଅଧିକାରୀ।.

Latest Posts

Don't Miss