spot_img

Latest Posts

କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ମାଡ଼ ମାରି ହାତ ଭାଙ୍ଗିବା ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଛି ଜୁନିଅର ଡାକ୍ତର ସଂଘ

ଭୁବନେଶ୍ବର ; କ୍ୟାପିଟାଲ ହସ୍ପିଟାଲ । ରାଜଧାନୀ ଭୁବନେଶ୍ବରର ହାର୍ଟରେ ଅବସ୍ଥାପିତ । ଦୈନିକ ହଜାର ହଜାର ରୋଗୀ ଏଠାକୁ ଆସନ୍ତି । ରାଜ୍ୟରେ ଡାକ୍ତର ଅଭାବ ସତ୍ତ୍ବେ, ରୋଗୀସେବାରେ ହେଳା ନାହିଁ । ବେଳେବେଳେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦିଏ । ହେଲେ ଗତକାଲି ଘଟଣାରେ ସବୁ ସୀମା ପାର ହୋଇଗଲା । ଡାକ୍ତରଙ୍କୁ ମାଡ଼ ମାରିଲେ ରୋଗୀଙ୍କ ସଂପର୍କୀୟ । ଯେଉଁଥିରେ ଡାକ୍ତରଙ୍କ ହାତ ଭାଙ୍ଗିଲା । ଆଉ ଜଣେ ସ୍ବାସ୍ଥ୍ୟ କର୍ମୀ ମଧ୍ୟ ଗୁରୁତର ଆହତ ହୋଇଥିଲେ । ଆଜି ଏହାର ପ୍ରତୀକାତ୍ମକ ପ୍ରତିବାଦ ଦେଖିବାକୁ ମିଳିଥିଲା । କଳା ବ୍ୟାଜ ପିନ୍ଧି ଓପିଡିରେ ରୋଗୀସେବା ଯୋଗାଇଛନ୍ତି ଜୁନିଅର ଡାକ୍ତର । ଡାକ୍ତରଙ୍କ ସୁରକ୍ଷା, ଫାଣ୍ଡି ଅପଗ୍ରେଡେସନ, ହସ୍ପିଟାଲରେ ପିସିଆର ମୁତୟନ, ସମ୍ବେଦନଶୀଳ ସ୍ଥାନରେ ପୋଲିସ ଓ ସଶସ୍ତ୍ର ବାହିନୀ ପାଇଁ ଜୁନିୟର ଡାକ୍ତର ସଂଘ ଦାବି କରିଛନ୍ତି । ପ୍ରତିବାଦ କରୁଥିବା ଡାକ୍ତରଙ୍କ ସହ କ୍ୟାପିଟାଲ ହସ୍ପିଟାଲରେ ଆଲୋଚନା କରିଥିଲେ ସ୍ବାସ୍ଥ୍ୟ ସଚିବ ଏସ୍. ଆଶ୍ବଥି । ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ବାସ୍ଥ୍ୟ ବିଭାଗ ଯତ୍ନବାନ ଅଛି ବୋଲି ସେ କହିଛନ୍ତି । ଏହି ଘଟଣାରେ ଜଣେ ଗିରଫ ହୋଇଛନ୍ତି । ଡାକ୍ତରଙ୍କ ସମସ୍ତ ପ୍ରକାରର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ସହ ଆଲୋଚନ ହୋଇଛି । ଓପିଡି ସରିବା ପରେ ରୋଗୀ ଆସିଥିଲେ । କାଜୁଆଲଟି ଯିବାକୁ କହିବା ପରେ ରୋଗୀ ନ ଯିବା ଠିକ ନୁହେଁ । ଏହି କାରଣରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ସ୍ବାସ୍ଥ୍ୟ ସଚିବ ଉଦବେଗ ପ୍ରକାଶ କରିଛନ୍ତି । ସେପଟେ ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦର ଚେତାବନୀ ଦେଇଛି ଜୁନିଅର ଡାକ୍ତର ସଂଘ ।

ସୁରକ୍ଷା ଦାବିରେ ଏକ ଘଣ୍ଟା ଧରି ଭୁବନେଶ୍ବର ଡିସିପିଙ୍କ ସହ ଆଲୋଚନା କରିଥିଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଓ ଜୁନିଅର ଡାକ୍ତର ସଂଘ । ସମସ୍ତ ଦାବି ଉପରେ ସକରାତ୍ମକ ଆଲୋଚନା ହୋଇଥିବା ସୂଚନା ମିଳିଛି । ପୋଲିସ କମିସନରଙ୍କ ସହ ଆଜି ଆଲୋଚନା କରି ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ । ସେପଟେ ଭୁବନେଶ୍ବର ଡିସିପି କହିଛନ୍ତି ଯେ ଗତକାଲି କ୍ୟାପିଟାଲ ଥାନାରେ ଏଫଆଇଆର ହୋଇଛି । ଜଣେ ଗିରଫ ହୋଇଛନ୍ତି । କିପରି ଓ କେଉଁ ସ୍ପଟରେ ସୁରକ୍ଷା ଦରକାର, ସେ ନେଇ ଡାକ୍ତର ଓ ପିଜି ଛାତ୍ର ଆଲୋଚନା ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ୨୫୦ ଜଣ ଘରୋଇ ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି । ସେମାନଙ୍କୁ ଆହୁରି ଦକ୍ଷ କରାଯିବ । ପିସିଆର ପାଟ୍ରୋଲିଂ ସହ ଫାଣ୍ଡିକୁ ଆହୁରି ସଶକ୍ତ କରାଯିବ । ଡାକ୍ତରଙ୍କ ଉପରେ ଆକ୍ରମଣର ସାକ୍ଷୀ ଅଛନ୍ତି । ଯାହାକୁ ଆଧାର କରି ତଦନ୍ତ ଆଗକୁ ବଢିବ । ରାଜ୍ୟରେ ଡାକ୍ତର ମରୁଡ଼ି । ଉପାନ୍ତ ଓ କେବିକେ ଅଞ୍ଚଳ ଯିବାକୁ ବି ଡାକ୍ତର ଇଚ୍ଛା ପ୍ରକାଶ କରୁ ନାହାନ୍ତି । ଏପରି ସ୍ଥିତିରେ ଜୁନିଅର ଡାକ୍ତର ସୁରକ୍ଷା ଦୃଷ୍ଟି କୋଣରୁ କାର୍ଯ୍ୟ ବନ୍ଦ ଡାକରା ଦେଲେ, ଘରୋଇ ହସ୍ପିଟାଲକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେବେ ରୋଗୀ । ଯେଉଁଥିପାଇଁ ଡାକ୍ତରଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ଆହୁରି ବଢିଛି ।

Latest Posts

Don't Miss