କଳାହାଣ୍ଡି : ଆନ୍ଦୋଳନ, ଧର୍ମଘଟ ପରେ ବି ସୁଧୁରୁନି ମଣ୍ଡି ସମସ୍ୟା । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଜାରି ରହିଛି ଅଚଳାବସ୍ଥା । ମଣ୍ଡିରେ ପଡ଼ିରହିଛି କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ ବସ୍ତା । ଶୀତ କାକରରେ କଷ୍ଟ ଉପାର୍ଜିତ ଫସଲକୁ ଜଗି ବସିଛନ୍ତି ଅନ୍ନଦାତା ।… କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ଠାରୁ ଖରିଫ ଧାନ ସଂଗ୍ରହ କରିବାକୁ ଗତ ନଭେମ୍ବର ୨୯ ତାରିଖରୁ ମଣ୍ଡି ଖୋଲିଲାଣି । ଚଳିତ ଥର ଜିଲ୍ଲାକୁ ୫୪ ଲକ୍ଷ ୮ ହଜାର କ୍ଵିଣ୍ଟାଲ ଧାନ କ୍ରୟ ନେଇ ଟାର୍ଗେଟ ଆସିଛି । ହେଲେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୩୯ ଲକ୍ଷ କ୍ଵିଣ୍ଟାଲ ଧାନ କିଣିବାରେ ସଫଳ ହୋଇଛି ପ୍ରଶାସନ । ଆଜି ବି ଅନେକ ମଣ୍ଡିରେ ଧାନ ପଡିରହିଛି ।
ମଣ୍ଡି ଅବ୍ୟବସ୍ଥା ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ବିଭିନ୍ନ ସମୟରେ ବିରୋଧୀଙ୍କ ପ୍ରଶ୍ନ ବାଣରେ ଶାସକ ଦଳ ନେତା ଘାଇଲା ହେଉଥିବାର ନଜିର ରହିଛି । ଦୁଇ ଦିନ ତଳେ ଭବାନୀପାଟଣାରେ ଆୟୋଜିତ ଘୁମୁରା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଞ୍ଚ ଉପରେ ହିଁ ଚାଷୀଙ୍କ ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବିଜେଡି ନେତା । ଶେଷରେ ମଣ୍ଡି ଅବ୍ୟବସ୍ଥା ଘଟଣାକୁ ସ୍ଵୀକାର କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ବର୍ତ୍ତମାନ ରବି ଧାନ ଚାଷ ଆରମ୍ଭ ହେଲାଣି । ହେଲେ ଏଯାଏଁ ଚାଷୀ ଖରିଫ ଫସଲକୁ ବିକ୍ରି କରିପାରିନାହାନ୍ତି । ଏଠି ପ୍ରଶ୍ନ ଉଠୁଛି- କେବେ ଚାଷୀଙ୍କ ସମସ୍ୟାର ହେବ ସମାଧାନ ? କେବେ ସୁରୁଖୁରରେ ଧାନ ବିକ୍ରି କରିବେ ଅନ୍ନଦାତା ? ନା ଦଲାଲଙ୍କ ହାତରେ ଧାନ ଟେକି ହେବେ ଶୋଷଣର ଶିକାର ?

