spot_img

Latest Posts

ଡ୍ରାଇଭର ମାନୁନାହାନ୍ତି ଗାଇଡଲାଇନ, ଓଭରଲୋଡିଂ ଯାତ୍ରା ଯୋଗୁଁ ବାଜିରେ ଲାଗୁଛି ସ୍କୁଲ ଛାତ୍ରଛାତ୍ରୀଙ୍କ ଜୀବନ

ଭୁବନେଶ୍ୱର : ପାଳନ ହେଉଛି ସଡ଼କ ସୁରକ୍ଷା ସଚେତନତା ମାସ। ଦୁର୍ଘଟଣା ରୋକିବାକୁ ଲୋକଙ୍କୁ କରାଯାଉଛି ସଚେତନ। ହେଲେ ବାସ୍ତବ କ୍ଷେତ୍ରରେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି, ତାକୁ ନେଇ ଉଠିଛି ପ୍ରଶ୍ନ। ଅଧିକାଂଶ କ୍ଷେତ୍ରରେ ଅମାନିଆ ଆଇନ ମାନୁ ନଥିବା ଦେଖିବାକୁ ମିଳୁଛି। ରାଜଧାନୀ ମୁଖ୍ୟ ରାଜପଥଠୁ ନେଇ ଗଳିକନ୍ଦିରେ ଏମିତି ଅନେକ ଦୃଶ୍ୟ ଦେଖିବାକୁ ମିଳୁଛି । କେଉଁଠି ଅଟୋରେ ଓଭରଲୋଡ୍ ତ ଆଉ କେଉଁଠି ଭ୍ୟାନରେ ଖୁନ୍ଦାଖୁନ୍ଦି କରି କୋମଳମତି ପିଲାଙ୍କୁ ସ୍କୁଲକୁ ନେବା ଆଣିବା କରାଯାଉଛି। ତ ଆଉ କେଉଁଠି ପିଲାଙ୍କୁ ସ୍କୁଲ ବସରେ ଠିଆ ହୋଇ ଯିବାକୁ ପଡୁଥିବା ନଜରକୁ ଆସୁଛି। ଯାହାକି କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଛି। ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ପାଇଁ ଗାଇଡଲାଇନ ରହିଥିବା ବେଳେ, ଏହାକୁ ବାଏଁ ବାଏଁ ଉଡାଇ ଦେଉଛନ୍ତି କିଛି ଅମାନିଆ। ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋରେ ଅନେକ ପିଲା ଆଗ ସିଟରେ ମଧ୍ୟ ବସି ଯାଉଛନ୍ତି। ଗାଡ଼ିରେ ଯେତିକି ସିଟ୍, ତା’ଠୁ ଅଧିକ ପିଲା ଯାଉଛନ୍ତି। ବିପଦଜ୍ଜନକ ଭାବେ ଛାତ୍ରଛାତ୍ରୀଙ୍କୁ ପରିବହନ କରାଯାଉଥିବା ବେଳେ,  ଏହାର ତଦାରଖ କରିବାକୁ ଯେମିତି କେହି ନାହାନ୍ତି । ପିଲାମାନେ କେଉଁ ଭଳି ଗାଡ଼ିରେ ଯିବେ ? କେମିତି ସୁରକ୍ଷିତ ଭାବେ ଫେରିବେ ? କ୍ୟାମ୍ପସରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ, ତା’ ଉପରେ ବର୍ଷ ତମାମ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ହେଲେ ସଠିକ୍ ଭାବେ ଏହା କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରିଛନ୍ତି ଉଭୟ ଅଭିଭାବକ ଓ ସଡ଼କ ସୁରକ୍ଷା ବିଶେଷଜ୍ଞ।

ନିୟମ ଅନୁସାରେ, ଅଟୋ କିମ୍ବା ଛୋଟ ଗାଡ଼ିରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରିବା ବେଆଇନ। କେବଳ ସ୍କୁଲ ବସ କିମ୍ବା ସ୍କୁଲ ପରମିଟ୍ ଥିବା ଗାଡ଼ିରେ ପିଲାଙ୍କ ଯାତାୟାତ ପାଇଁ ନିୟମ ରହିଛି। ଏହାବାଦ୍ ଯଦି ସିଟ୍ ଠାରୁ ଅଧିକ ପିଲା ଯାଆସ କରନ୍ତି, ତେବେ ସପୃକ୍ତ ଗାଡ଼ିକୁ ଜବତ କରାଯିବା ସହ ଲାଇସେନ୍ସ ରଦ୍ଦ କରାଯିବାର ବ୍ୟବସ୍ଥା ରହିଛି। ଏସବୁ ସତ୍ତ୍ବେ ଜାରି ହୋଇଥିବା ମାର୍ଗଦର୍ଶିକାକୁ ଖୋଲା ଖୋଲି ଭାବେ କରାଯାଉଛି ଉଲ୍ଲଂଘନ। ସେପଟେ ପରିବହନ ବିଭାଗ କହିଛି, ସ୍କୁଲ ପିଲାଙ୍କ ଗାଡିରେ ଅବହେଳା ହେଲେ କାହାରିକୁ ଛଡ଼ାଯିବ ନାହିଁ। ପ୍ରତି ମାସରେ ଦୁଇ ଥର ଯାଞ୍ଚ ସାଙ୍ଗକୁ ସ୍ବତନ୍ତ୍ର ଡ୍ରାଇଭ କରାଯାଉଛି। ଅନେକ ସ୍କୁଲ ଗାଡି ଉପରେ ଫାଇନ ପଡୁଛି। ସେହିପରି ସ୍କୁଲ ପିଲାଙ୍କୁ ନେବା ଆଣିବା ପାଇଁ ବସର ଡିଜାଇନ ବି କରାଯାଇଛି।  ତେବେ ଘରୋଇ ବସ କିମ୍ବା ଅଟୋ କି ଭ୍ୟାନରେ ପିଲାଙ୍କୁ ନେବା ଆଣିବା କରିବାର ନିୟମ ନଥିବା ବେଳେ, କର୍ତ୍ତୃପକ୍ଷ ଓ ଅଭିଭାବକ ଗୁରୁତର ସହ ନେବା ଦରକାର। ପିଲାଙ୍କ ସୁରକ୍ଷା ବେସରକାରୀ ସ୍କୁଲର ପ୍ରାଥମିକତା ନୁହେଁ। କିପରି ଅଧିକରୁ ଅଧିକ ରୋଜଗାର ସହ ଫି ବୃଦ୍ଧି କରିବେ, ତା ଉପରେ ଦେଉଛନ୍ତି ଗୁରୁତ୍ବ। ଯାହାକୁ ନେଇ ପ୍ରକାଶ ପାଇଛି ଉଦବେଗ। ଏଭଳି ସ୍ଥିତିରେ ଚେକିଂକୁ କଡ଼ାକଡ଼ି କରାଯିବାର ରହିଛି ଆବଶ୍ୟକତା।

Latest Posts

Don't Miss