ଆଜି ଦେଶ ପାଳନ କରୁଛି ୭୭ତମ ସାଧାରଣତନ୍ତ୍ର ଦିବସ l ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହୋଇଛି ଜାତୀୟ ସ୍ତରର ପରେଡ୍। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ ଡେର ଲେୟେନ ଓ ୟୁରୋପୀୟ କାଉନସିଲ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା l ଦିଲ୍ଲୀ କର୍ତ୍ତବ୍ଯପଥରେ ପ୍ରଦର୍ଶିତ ହୋଇଛି ଦେଶର ଶକ୍ତି ଓ ଶୌର୍ଯ୍ୟ। ପ୍ରଦର୍ଶିତ ହୋଇଛି ସାମରିକ ଶକ୍ତିର ଝଲକ। ବାୟୁସେନା, ସ୍ଥଳସେନା ଓ ଜଳସେନାର ଶକ୍ତି ଦେଖିଛି ସାରା ବିଶ୍ଵ। ତା ସହିତ ରଙ୍ଗାରଙ୍ଗ ପରେଡ୍ ଅନୁଷ୍ଠିତ ହୋଇଛି। ତା ସହିତ ସାମିଲ ହୋଇଛନ୍ତି ମୋଟ ୩୦ଟି ପ୍ରଜ୍ଞାପନ ମେଢ଼ l ସେଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୭ଟି, ବିଭିନ୍ନ ମନ୍ତ୍ରାଳୟ, ବିଭାଗ ଓ ସର୍ଭିସର ୧୩ଟି ପ୍ରଜ୍ଞାପନ ମେଢ ରହିଛି। କେନ୍ଦ୍ର ସଂସ୍କୃତି ବିଭାଗର ବନ୍ଦେ ମାତରଂର ୧୫୦ତମ ବାର୍ଷିକୀ ଅବସରରେ ଏକ ସ୍ବତନ୍ତ୍ର ପ୍ରଜ୍ଞାପନ ମେଢ ପ୍ରସ୍ତୁତ ହୋଇଛି। ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

