ରାୟଗଡା : ରାୟଗଡା ସହରରେ ଜଣ୍ଡିସ୍ ଆତଙ୍କ । ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ଏକାଧିକ ପିଲା । ଭୟଭୀତ ଅବସ୍ଥାରେ ଲୋକେ। ଇନ୍ଦିରା ନଗର, କସ୍ତୁରୀ ନଗର ଓ କତୁରୁ ବସ୍ତିରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ବୟସ ୧୧ରୁ ୧୭ ବର୍ଷ ହେବ। ସପ୍ତାହକ ମଧ୍ୟରେ ପ୍ରାୟ ୧୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଖବର ପାଇ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଛି । ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯିବା ସହ ପାଣି ସାମ୍ପୁଲ ମଧ୍ୟ ସଂଗ୍ରହ କରାଯାଇଛି ।
ବିଶେଷ କରି କତୁରୁ ବସ୍ତିରେ ଲୋକେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରହୁଥିବା ଦେଖିବାକୁ ମିଳିଛି। ଏଠାରେ ପାନୀୟ ଜଳ ଯୋଗାଣ ସତ୍ତ୍ବେ ପିଲାଙ୍କୁ ଜଣ୍ଡିସ୍ ବ୍ୟାପୁଛି । ଫାଷ୍ଟ୍ ଫୁଡ୍ ଖାଇବା ଦ୍ବାରା ପିଲା ମାନେ ଆକ୍ରାନ୍ତ ହେଉଥିବା ଡାକ୍ତରୀ ଟିମ୍ କହିଛନ୍ତି । ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘର ଘର ବୁଲି ଲୋକଙ୍କୁ ସଚେତନ କରାଯାଉଛି। ସଫାସୁତୁରା ରହିବା ସହ ଭୟଭୀତ ନହେବା ପାଇଁ ପରାମର୍ଶ ଦିଆଯାଇଛି। ଜଣ୍ଡିସ କାୟା ମେଲାଉଥିବାବେଳେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

