ଭୁବନେଶ୍ବର : ମହିଳା ଚଳାଇବେ ଆମ ବସ୍ । ଇଲେକ୍ଟ୍ରିକ୍ ବସ୍ ଚାଳନା ତାଲିମ ପାଇଁ ପୁଣେ ଗଲେ ୨୦ ଜଣ ମହିଳା ଡ୍ରାଇଭର । କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ଆମ ବସ୍ ସେବା ପାଇଁ ମହିଳା ଡ୍ରାଇଭରମାନଙ୍କୁ ସାମିଲ କରିବା ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ପୁଣେରେ ପ୍ରଶିକ୍ଷଣ ନେବା ପାଇଁ ଭାରୀ ମୋଟର ଯାନ ଲାଇସେନ୍ସ ଥିବା ୨୦ ଜଣ ମହିଳା ଡ୍ରାଇଭରଙ୍କୁ ଚୟନ କରାଯାଇଛି । ଏହି ପ୍ରଶିକ୍ଷାର୍ଥୀମାନେ ଆଜି ବିମାନ ଯୋଗେ ପୁଣେ ଅଭିମୁଖେ ଯାତ୍ରା କରିଛନ୍ତି । ପୁଣେ ଯିବା ପୂର୍ବରୁ ମହିଳା ଡ୍ରାଇଭରମାନଙ୍କୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ବିଭାଗର ପ୍ରମୁଖ ସଚିବ ଶୁଭେଚ୍ଛା ଜଣାଇଥିଲେ । ତାଲିମ କାର୍ଯ୍ୟକ୍ରମକୁ ସଫଳତାର ସହ ସମାପ୍ତ କରିବା ଏବଂ ଜନ ପରିବହନ ସେବାରେ ଉଦାହରଣ ସୃଷ୍ଟି କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ । ୨ ଫେବୃଆରୀରୁ ୧୫ ଫେବୃଆରୀ ୧୪ ଦିନ ଧରି ଏକ୍କା ମୋବିଲିଟି ପ୍ଲାଣ୍ଟରେ ସେମାନେ ପ୍ରଶିଖ୍ଷଣ ନେବେ । କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକ୍ ବସ୍ ପରିଚାଳନା, ଉନ୍ନତ ଡ୍ରାଇଭିଂ, ସୁରକ୍ଷା ପ୍ରୋଟୋକଲ୍ ଏବଂ ପରିଚାଳନାଗତ ଉତ୍କର୍ଷତା ଉପରେ ଧ୍ୟାନ ଦିଆଯିବ । ପ୍ରଶିକ୍ଷାର୍ଥୀମାନେ ଫେବୃଆରୀ ୧୭ ପ୍ରଶିକ୍ଷଣ ସାରି ଫେରିବେ । ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ବିଶ୍ୱାଳ, ମହାପ୍ରବନ୍ଧକ ସହଦେବ ସମାଧିଆ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

