ନନ୍ଦିଘୋଷ ବ୍ୟୁରୋ : ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ହେବେ ୟମନାମ ଖେମଚନ୍ଦ। ସେ ବିଜେପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଜଣାପଡୁଛି ଖୁବ ଶୀଘ୍ର ଶେଷ ହେବ ରାଷ୍ଟ୍ରପତି ଶାସନ। ସରକାର ଗଠନର ପ୍ରକ୍ରିୟା ଜୋରଦାର ହୋଇଛି। ଗତ ବର୍ଷ ଫେବୃଆରୀ ୧୩ ରେ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ଆଉ ୯ ଦିନ ପରେ ବର୍ଷେ ହେବ। ସେତେବେଳେ ବିଧାନସଭାକୁ ଭଙ୍ଗ ନ କରି ସସେପେଣ୍ଡେଡ୍ ଆନିମେସନରେ ରଖାଯାଇଥିଲା। ସ୍ଥିତି ସୁଧୁରିବା ପରେ ସରକାର ଗଠନ କରିବାକୁ ବିଜେପି ଚେଷ୍ଟା କରୁଛି। ଦିଲ୍ଲୀରେ ଏନଡିଏର ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି। ଖେମଚନ୍ଦଙ୍କୁ ଏଥିପାଇଁ ବିଜେପି ବିଧାୟକ ଦଳ ନିର୍ବାଚିତ କରାଯାଇଛି କାହିଁକିନା ସେ ନରମ ସ୍ଵଭାବର ଓ ସମସ୍ତଙ୍କ ସହିତ ତାଙ୍କର ଭଲ ସଂପର୍କ ଅଛି। ତା ସହିତ ସେ ଏପଟ ସେପଟ କଥା କହନ୍ତି ନାହିଁ। ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ ୩୭ ଜଣ ବିଜେପି ବିଧାୟକ ଅଛନ୍ତି। କୁକି-ମୈତି ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଯୋଗୁଁ ମଣିପୁରରେ ଦେଖା ଦେଇଥିଲା ଅସ୍ଥିରତା। ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଲକ୍ଷାଧିକ ଲୋକ ବାସହରା ହୋଇଛନ୍ତି। ବହୁ ନିଖୋଜ ବି ଅଛନ୍ତି। ବହୁ ଲୋକଙ୍କ ଘରଦ୍ଵାର ପୋଡ଼ି ଦିଆଯାଇଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ବୀରେନ ସିଂହ ଇସ୍ତଫା ଦେଇଥିଲେ। ୨୦୨୫ ଫେବୃଆରୀରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା।

