ନବରଙ୍ଗପୁର : ମେଡିକାଲରେ ନାହିଁ ମହାପ୍ରୟାଣ ଗାଡ଼ି । ହୀନସ୍ତା ଭୋଗୁଛନ୍ତି ମୃତକଙ୍କ ପରିବାର । ମେଡିକାଲ ପରିସରରେ ଘଣ୍ଟାଘଣ୍ଟା ଧରି ପଡ଼ିରହୁଛି ଡେଡବଡି । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତିନି ମାସରୁ ଉର୍ଦ୍ଧ୍ଵ ସମୟ ହେଲାଣି ମହାପ୍ରୟାଣ ଗାଡି ନାହିଁ । ଗାଡିଟି ଖରାପ ହୋଇ ଗ୍ୟାରେଜରେ ଥିବାରୁ ବିକଳ୍ପ ଭାବେ ଡାବୁଗାଁ କିମ୍ବା କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଶବ ବାହକ ଗାଡି ଆଣି ଶବ ବୁହାଯାଉଛି । ଏହି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ୪୦ କିଲୋମିଟରରୁ ଦୂରରେ ଥିବାରୁ ଅନେକ ସମସ୍ୟା ଲାଗି ରହୁଛି । ଦୁର୍ଗମ ଅଞ୍ଚଳର ଲୋକ ମାନେ ଶବ ନେବା ପାଇଁ ବହୁ ହୀନସ୍ତା ଭୋଗୁଛନ୍ତି ।
ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ଲାଗିରହିଥିବା ବେଳେ ମହାପ୍ରୟାଣ ଗାଡ଼ି ବି ନାହିଁ । ନିୟମ ଅନୁଯାୟୀ ସରକାରୀ ଗାଡ଼ି ଖରାପ ହେଲେ ଏମଭିଆଇ ତାର ଖର୍ଚ୍ଚ ବିବରଣୀ ପ୍ରଦାନ କରେ । ମହାପ୍ରୟାଣ ଗାଡିର ମରାମତି ଖର୍ଚ୍ଚ ପ୍ରଦାନରେ ବିଳମ୍ବ ହେବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଏଥିସହ ମେଡିକାଲରେ ପ୍ରତିଦିନ ୨ ରୁ ୫ ଜଣ ରୋଗୀଙ୍କ ମୃତ୍ୟୁ ହେଉଥିବାରୁ ଆଉ ଗୋଟିଏ ଶବ ବାହକ ଗାଡି ଆବଶ୍ୟକ ବୋଲି କହିଛନ୍ତି । ଅନ୍ୟପଟେ ସମାଧାନର ପ୍ରତିଶୃତି ଦେଇଛନ୍ତି ସ୍ଥାନୀୟ ବିଧାୟକ । ସରକାର ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ କେବେ ଗୁରୁତ୍ଵ ଦେଉଛନ୍ତି ? କେବେ ଜିଲ୍ଲାରେ ମହାପ୍ରୟାଣ ସେବା ସୂଚାରୁ ରୂପେ ସମ୍ପାଦନ ହେଉଛି ? ତାକୁ ହିଁ ଅପେକ୍ଷା ।
ଭୁଶୁଡିଲାଣି ସ୍ଵାସ୍ଥ୍ୟ ବ୍ୟବସ୍ଥା, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ମହାପ୍ରୟାଣ ଗାଡି଼

