ନନ୍ଦିଘୋଷ ବ୍ୟୁରୋ : ରାଜ୍ୟର ବିଭିନ୍ନ କୋର୍ଟକୁ ଆସିଲା ବୋମା ଧମକ । ବୋମା ଧମକ ଆସିବା ପରେ କୋର୍ଟ ପରିସରକୁ ଖାଲି କରାଯାଇଛି । ଭୁବନେଶ୍ଵର କୋର୍ଟକୁ ବୋମା ଧମକ ଇ ମେଲରେ ଆସିଛି। କୋର୍ଟରେ ବୋମା ନିଷ୍କ୍ରିୟକାରୀ ଦଳ ଓ ସନ୍ଧାନୀ କୁକୁର ପହଞ୍ଚିଛନ୍ତି । ସର୍ଚ୍ଚ ଅପରେସନ ଜାରି ରହିଛି ।
କଟକ ଜିଲ୍ଲା ଜଜ୍ କୋର୍ଟକୁ ବୋମା ଧମକ । ବୋମାରେ କୋର୍ଟକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଏକ ଇ ମେଲରେ ଏହି ଧମକ ଆସିଛି। ଏହି ଖବର ପରେ କୋର୍ଟ ପରିସରରେ ପହଞ୍ଚିଛି ବୋମା ନିଷ୍କ୍ରିୟକାରୀ ଟିମ୍। ଖାନତଲାସି ଚାଲିଛି। କୋର୍ଟ ପରିସରକୁ ଖାଲି କରାଯାଇଛି। କିଏ କାହିଁକି ଏହି ଧମକ ଦେଇଛି, ତାର ତଦନ୍ତ ଚାଲିଛି।
ପୁରୀ କୋର୍ଟରେ ମଧ୍ୟ ବୋମା ଆତଙ୍କ । ଖବର ମିଳିବା ପରେ ପୋଲିସ ପକ୍ଷରୁ ବମ ସ୍କ୍ବାଡ ଓ ସ୍ବତନ୍ତ୍ର ବୋମା ସନ୍ଧାନକାରୀ ଦଳ ଦ୍ବାରା ଯାଞ୍ଚ ପ୍ରକିୟା ଚାଲିଛି । ଏକ ସନ୍ଦିଗ୍ଘ ଇ-ମେଲ ଆଇଡିରୁ ବୋମା ଆତଙ୍କ ନେଇ ଖବର ମିଳିବା ପରେ ପୋଲିସ ପକ୍ଷରୁ ଯାଞ୍ଚ ସହ ତଦନ୍ତ ଆରମ୍ଭ ହୋଇଛି ।
ଫୁଲବାଣୀ କୋର୍ଟକୁ ବୋମାରେ ଉଡେଇ ଦେବାକୁ ମଧ୍ୟ ଧମକ। ଅଜଣା ମେଲ୍ ଆଇଡି ରୁ ଫୁଲବାଣୀ କୋର୍ଟ କୁ ଏହି ଧମକ ଆସିଛି। ଏହି ଧମକ ପରେ ବୋମା ନିଷ୍କ୍ରିୟକାରୀ ଟିମ୍ କୋର୍ଟରେ ପହଞ୍ଚି ସର୍ଚ୍ଚ କରୁଛି। କୋର୍ଟ ପରିସରକୁ ଖାଲି ମଧ୍ୟ କରା ଯାଇଛି।
ସେହିପରି ଯାଜପୁର ଜିଲ୍ଲା କୋର୍ଟକୁ ମଧ୍ୟ ବୋମା ଚେତାବନୀ। ଇମେଲ ଯୋଗେ ଦିନ ୧୨ଟା ମଧ୍ୟରେ ବୋମା ଧମକ ଆସିଛି । କୋର୍ଟ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ବୋମା ଧମକ ପରେ କୋର୍ଟ ପରିସରରେ ଦେଖା ଦେଇଛି ଭୟର ବାତାବରଣ । କିଛି ଦିନ ତଳେ ରାଜ୍ୟର ଅନେକ କୋର୍ଟକୁ ଏପରି ବୋମା ଧମକ ଆସିଥିଲା। ପରେ ତାହା ଗୁଜବ ବୋଲି ଜଣାପଡ଼ିଥିଲା।

