ନନ୍ଦିଘୋଷ ବ୍ୟୁରୋ : ସୁପର ସଣ୍ଡେରେ ସୁପର ମୁକାବିଲା । ଟି-ଟ୍ବେଣ୍ଟି ବିଶ୍ବକପରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ । ବିବାଦ ପରେ ଏହି ହାଇଭୋଲ୍ଟେଜ ମ୍ଯାଚ ପାଇଁ ବଢୁଛି କ୍ରିକେଟ ପ୍ରେମୀଙ୍କ କ୍ରେଜ୍ । କଲମ୍ବୋ ଆର ପ୍ରେମଦାସା ଷ୍ଟାଡିୟମରେ ସଂଧ୍ଯା ୭ଟାରେ ଖେଳାଯିବ ମ୍ଯାଚ । ବାଂଲାଦେଶ ନଖେଳିବାକୁ ନିଷ୍ପତ୍ତି ନେବାପରେ ଭାରତ ବିପକ୍ଷରେ ମ୍ଯାଚ ଖେଳିବ ନାହିଁ ବୋଲି ପାକିସ୍ତାନ ଘୋଷଣା କରିଥିଲା । ଯାହାକୁ ନେଇ ଏକସପ୍ତାହ ଯାଏଁ ଲାଗି ରହିଥିଲା ଚର୍ଚ୍ଚା । ଏହି ହାଇଭୋଲ୍ଟେଜ ମ୍ଯାଚ ନହେଲେ ବିଶ୍ବକପ ଫିକା ପଡ଼ିବ ବୋଲି କହିଥିଲେ କ୍ରିକେଟ ପ୍ରେମୀ । ତେଣୁ ରବିବାର ଖେଳାଯିବାକୁ ଥିବା ଏହି ମ୍ଯାଚ ପାଇଁ ବଢ଼ିଛି କ୍ରିକେଟପ୍ରେମୀଙ୍କ କ୍ରେଜ୍ । କ୍ରିକେଟ ମହାକୁମ୍ଭରେ ନିଜ ଦଳକୁ ଚିଅରଅପ୍ କରିବାକୁ କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ଫଳରେ କଲମ୍ବୋ ବିମାନ ଟିକେଟ ଦର ଆକାଶ ଛୁଆଁ ହୋଇଛି । ଶେଷ ସମୟରେ ଟିକେଟ କରୁଥିବା ଯାତ୍ରୀ ଅଧିକ ମୂଲ୍ଯ ଦେଇ ବି ଯାତ୍ରା କରୁଛନ୍ତି । ଗ୍ରୁପ Aରେ ଥିବା ଏହି ଦୁଇଟି ଟିମ୍ ଦୁଇଟି ଲେଖାଏଁ ମ୍ଯାଚ ଜିତି ୨ ପଏଣ୍ଟ ଲେଖାଏଁ ହାସଲ କରି ସାରିଛନ୍ତି । ଏବେ ଏହା ଉଭୟଙ୍କ ତୃତୀୟ ମ୍ଯାଚ । ତେଣୁ ଏଥିରେ ବିଜୟୀ ହେଲେ ପରବର୍ତ୍ତୀ ରାଉଣ୍ଡକୁ ଯିବ ଦଳ । ଖେଳର ମହତ୍ବ ଅଧିକ ଥିବାରୁ ଏକ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି କ୍ରିକେଟପ୍ରେମୀ ଆଶା ରଖିଛନ୍ତି । ସେପଟେ ଆଜି ବିଶ୍ବକପରେ ୩ଟି ମ୍ଯାଚ ଖେଳାଯିବ । ପ୍ରଥମ ମ୍ଯାଚରେ ଇସ୍ରାଏଲକୁ ଭେଟିବ ଓମାନ । ଦ୍ବିତୀୟ ମ୍ଯାଚ ସ୍କଟଲାଣ୍ଡ ଓ ଇଂଲଣ୍ଡ ମଧ୍ଯରେ ଖେଳାଯିବାକୁ ଥିବାବେଳେ ତୃତୀୟ ମ୍ଯାଚରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା । ସଂଧ୍ଯା ୭ଟାରେ ଖେଳାଯିବ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ।

