spot_img

Latest Posts

ଇସ୍ରାଏଲ ଓ ଉପସାଗରୀୟ ଅଞ୍ଚଳରେ ଥିବା ସାମରିକ ଘାଟି ଉପରେ ପ୍ରଚଣ୍ଡ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ରକ୍ତମୁଖା ଇରାନ l ବଦଲା ନେବାକୁ ଜାରି ରଖିଛି ଲଢେଇ l ଇରାନର ଜାତୀୟ ସୁରକ୍ଷା ମୁଖ୍ୟ ଅଲୀ ଲାରିଜାନୀ ଓ ଜଣେ ଶୀର୍ଷ କମାଣ୍ଡର ଗୋଲାମରେଜା ସୋଲେମାନିଙ୍କୁ ହତ୍ୟା କରାଯିବା ପରେ ତେହେରାନ ପକ୍ଷରୁ ଭୀଷଣ ପ୍ରତିଶୋଧ ଆରମ୍ଭ ହୋଇଛି। ଇରାନ ଏହାକୁ କେବଳ ସାମରିକ କ୍ଷତି ଭାବେ ନୁହେଁ, ବରଂ ନିଜର ଅସ୍ତିତ୍ୱ ଉପରେ ଏକ ବଡ଼ ବିପଦ ବୋଲି ଗ୍ରହଣ କରିଛି । ଇରାନ ବିଶ୍ୱର ସବୁଠାରୁ ବଡ଼ ଏଲ୍‌ଏନ୍‌ଜି ହବ୍ ମଧ୍ୟରୁ ଅନ୍ୟତମ କତାରର ରାସ ଲାଫାନ ଶିଳ୍ପାଞ୍ଚଳ ଉପରେ ଏକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଆକ୍ରମଣରେ ଗ୍ୟାସ୍ ପ୍ଲାଣ୍ଟ୍‌ରେ ନିଆଁ ଲାଗିଯାଇ ବ୍ୟାପକ କ୍ଷତି ହୋଇଛି । ଯାହା ଫଳରେ କତାରକୁ ଅସ୍ଥାୟୀ ଭାବରେ ଏଲ୍‌ଏନ୍‌ଜି ଉତ୍ପାଦନ ବନ୍ଦ କରିବାକୁ ପଡିଛି । ଇସ୍ରାଏଲ ଓ ଉପସାଗରୀୟ ଅଞ୍ଚଳରେ ଥିବା ଆମେରିକୀୟ ସାମରିକ ଘାଟି ଓ ସମ୍ପତ୍ତି ଉପରେ ଆଜି ଏକସଙ୍ଗେ ଆକ୍ରମଣ କରି ଇରାନ ଏହି ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଦେବାକୁ ଚେଷ୍ଟା କରିଛି। ତେବେ ଉପସାଗରୀୟ ରାଷ୍ଟ୍ରମଧ୍ୟରୁ ସଂଯୁକ୍ତ ଆରବ ଏମିରେଟ୍ସକୁ ସବୁଠାରୁ ଅଧିକ ଟାର୍ଗେଟ କରିଛି ଇରାନ l ଦୁବାଇ, ଆବୁଧାବି, ଅଜମାନ, ସାରଜା ଆଦି ସମସ୍ତ ମେଗାସିଟିରେ ପହଞ୍ଚିଛି ବ୍ୟାପକ କ୍ଷତି l ସବୁଠାରେ ଏୟାର ଡିଫେନ୍ସ ସିଷ୍ଟମ ଆକ୍ଟିଭ ରହିଥିବାବେଳେ ଲଜିଷ୍ଟିକରୁ ପର୍ଯ୍ୟଟନ, ଅର୍ଥନୀତିରୁ ଶିଳ୍ପ ସବୁକିଛି ଗଭୀର ପ୍ରଭାବିତ ହୋଇଛି l ଇରାନ ଅତ୍ୟାଧୁନିକ ଖୋରମଶାହର-୪ ବାଲିଷ୍ଟିକ୍ ମିସାଇଲ୍ ଓ ସାହେଦ-୨୩୮ ଟର୍ବୋଜେଟ୍ ଡ୍ରୋନ୍ ସାହାଯ୍ୟରେ ଇସ୍ରାଏଲ ଉପରେ ଭୀଷଣ ଆକ୍ରମଣ କରିଛି । ତେଲ୍ ଅଭିଭ୍ର ରାମାତ୍ ଗାନ୍ ଅଞ୍ଚଳରେ ଏକ ପ୍ରମୁଖ ରେଳ ଜଙ୍କସନ୍ ନିକଟରେ ମିସାଇଲ ମାଡ଼ ହେବାରୁ ଦୁଇଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଫେବ୍ରୁଆରୀ 28ରୁ ମାର୍ଚ୍ଚ 15 ଯାଏ ୟୁଏଇ ଉପରକୁ ଇରାନ 298ଟି ବାଲିଷ୍ଟିକ ମିସାଇଲ, 15ଟି କୃଜ ମିସାଇଲ, 1600ରୁ ଅଧିକ ଡ୍ରୋନ ମାଡ କରିଥିବା ସୂଚନା ମିଳିଛି l ଅନ୍ୟପକ୍ଷରେ ଇସ୍ରାଏଲ ହେଜବୁଲ୍ଲା ବିରୋଧରେ ଆଇରନ୍ ପ୍ରେସର ଅଭିଯାନକୁ ଆହୁରି ଜୋରଦାର କରିଛି । ବେରୁତର କେନ୍ଦ୍ରସ୍ଥଳରେ ଥିବା ଏକ ୨୨ ମହଲା ବ୍ୟବସାୟିକ ଆବାସିକ କୋଠାକୁ ଇସ୍ରାଏଲ୍ର ଯୁଦ୍ଧବିମାନ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଛି । ସେପଟେ ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ । ବଙ୍କର-ବଷ୍ଟର ବୋମା ମାଡ଼ରେ ଧ୍ୱଂସ ହେଲା ମିସାଇଲ୍ ଘାଟି । ୫ହଜାର ପାଉଣ୍ଡର ବଙ୍କର-ବଷ୍ଟର ବୋମା ମାଡ଼ ଯୋଗୁଁ ହର୍ମୁଜ ପ୍ରଣାଳୀ ନିକଟରେ ଇରାନର ଘାଟି ଛାରଖାର ହୋଇଛି । ଏହି ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ପେଟ୍ରୋଲ-ଡିଜେଲ ଦର ବଢ଼ିବାର ଆଶଙ୍କା ଦେଖାଦେଇଛି । ୨୦ ଦିନରେ ପହଞ୍ଚିଛି ଏହି ମହାଯୁଦ୍ଧ । ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୨୪ଶହ ଲୋକଙ୍କ ମୃତ୍ୟୁ ହେଲାଣି । ସେପଟେ ଯୁଦ୍ଧ ପାଇଁ କୁଏଦର ଗ୍ରାଣ୍ଡ ମସଜିଦରେ ସାମୁହିକ ନମାଜ ପାଠ ବାତିଲ କରାଯାଇଛି । ଇଦପାଇଁ ସାମୁହିକ ନମାଜପାଠ ନକରିବାକୁ କୁହାଯାଇଛି । ସେପଟେ ବର୍ତ୍ତମାନ ସୁଦ୍ଧା ଉପସାଗରୀୟ ଦେଶରୁ ଫେରିଲେଣି ୨ ଲକ୍ଷ ୬୦ ହଜାରରୁ ଅଧିକ ଭାରତୀୟ ।

Latest Posts

Don't Miss