ସମ୍ବଲପୁର :ସରକାର ମାରୁଛନ୍ତି ବାହାସ୍ପଟ । ଗ୍ରାଉଣ୍ଡ ଜିରୋରେ ସ୍ଥିତି କିନ୍ତୁ ଭିନ୍ନ । ଚଳିତବର୍ଷ ସବୁଠୁ ଅଧିକ ଧାନ କିଣାଯାଇଥିବା କହିଛନ୍ତି ମନ୍ତ୍ରୀ । ହେଲେ ଏବେ ବି ମଣ୍ଡିରେ ପଡିରହିଛି ଶହ ଶହ ଧାନବସ୍ତା । ସମ୍ବଲପୁର ଜିଲ୍ଲା ତବଲା ଧାନ ମଣ୍ଡିର ଏ ଅବସ୍ଥା । ଠିକ୍ ସମୟରେ ଚାଷୀଙ୍କ ଟୋକନ ଆସିନଥିବାରୁ ଆଜି ଚାଷୀ ତାର ସୁନାର ଫସଲକୁ ବିକ୍ରି କରିନପାରି ମଣ୍ଡିରେ ଜଗି ବସିଛି । ତେବେ ସବୁଠାରୁ ବଡ଼କଥା ହେଲା ଯେ ଧାନ ବିକ୍ରି କରିବାର ମଙ୍ଗଳବାର ଶେଷ ଦିନ ଥିବାବେଳେ ଏବେସୁଦ୍ଧା ଚାଷୀଙ୍କ ଟୋକନ ଆସିଲା ନାହିଁ । ଫଳରେ କେମିତି ଅନ୍ନଦାତା ତାର ଧାନ ବିକ୍ରି କରିବ ସେ ଚିନ୍ତାରେ ପଡ଼ିଛି।
ବର୍ତ୍ତମାନ ରବି ଧାନ ଚାଷ ଜୋରଦାର ଚାଲୁଥିବା ବେଳେ ଚାଷୀ ଧାନ ଚାଷ କରିବ କି ଖରିଫ ଧାନ ଜଗିବ ତାକୁ ନେଇ ଚିନ୍ତାରେ ପଡ଼ିଛି । ଚଳିତ ବର୍ଷ ଖରିଫ ଧାନ ସଗ୍ରହର ମଙ୍ଗଳବାର ଥିଲା ଶେଷ ଦିନ । ଅର୍ଥାତ ମଙ୍ଗଳବାର ପରେ ଆଉ ଖରିଫ ଧାନ ବିକ୍ରି କରିପାରିବେନି ଚାଷୀ । ତେଣୁ ଆଗକୁ କମ୍ ମୂଲ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେବେ ଚାଷୀ ବୋଲି ଅଭିଯୋଗ ହୋଇଛି ।

