ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମ ଏସିଆରେ ଯୁଦ୍ଧବିରତି ପ୍ରସଙ୍ଗ। ଇସଲାମାବାଦ କଥାବାର୍ତ୍ତାକୁ ନେଇ ସସପେନ୍ସ। ଲେବାନନ ଉପରେ ହମଲା ବନ୍ଦ ନ ହେବା ଯାଏ ଆମେରିକା ସହ କଥାବାର୍ତ୍ତା କରାଯିବ ନାହିଁ ବୋଲି କହିଛି ଇରାନ। ଏପରିକି ଇସଲାମାବାଦରେ ଇରାନର କୌଣସି ପ୍ରତିନିଧି ପହଞ୍ଚିନଥିବା କହିଛି ଇରାନ। ଲେବାନନ ସହ ଯୁଦ୍ଧବିରତି ନହେବା ଯାଏ କୌଣସି ପ୍ରକାର କଥାବାର୍ତ୍ତା ହୋଇପାରିବ ନାହିଁ ବୋଲି ଇରାନ କହିଛି। ସେପଟେ ଇସଲାମାବାଦ କଥାବାର୍ତ୍ତା ପୂର୍ବରୁ ଇସ୍ରାଏଲ ଓ ପାକିସ୍ତାନ ମଧ୍ୟରେ ବଢ଼ିଛି କୂଟନୈତିକ ବିବାଦ। ଲେବାନନରେ ଇସ୍ରାଏଲ ଗଣହତ୍ୟା ଚଲାଇଛି ଏବଂ ଇସ୍ରାଏଲ ଏକ ଦୁଷ୍ଟ ରାଷ୍ଟ୍ର ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିବା ପରେ ଏହାକୁ ନେଇ ବଢିଛି ବିବାଦ। ଆସିଫଙ୍କ ଏହି ବୟାନକୁ ତୀବ୍ର ବିରୋଧ କରିଛି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଅଫିସ। ପଶ୍ଚିମଏସିଆରେ ଶାନ୍ତି ପ୍ରତିଷ୍ଠା ଲାଗି କ୍ଷେତ୍ର ପ୍ରସ୍ତୁତ ହେଉଥିବାବେଳେ ଦୁଇ ପ୍ରମୁଖ ରାଷ୍ଟ୍ର ମଧ୍ୟରେ ବିବାଦ ଶାନ୍ତି ପ୍ରକ୍ରିୟା ଉପରେ ବାଧା ସୃଷ୍ଟି କରିବା ଆଶଙ୍କା ସୃଷ୍ଟି ହୋଇଛି।
ଇସାଲାମାବାଦର ସେରେନା ହୋଟେଲରେ ଆୟୋଜିତ ହେଉଛି ବୈଠକ। ଆସନ୍ତାକାଲି ବୈଠକରେ ଆମେରିକା ପକ୍ଷରୁ ପ୍ରତିନିଧିତ୍ବ କରିବେ ଉପରାଷ୍ଟ୍ରପତି ଜେ ଡି ଭାନ୍ସ । ଏହି ବୈଠକରେ ଯୁଦ୍ଧବିରତିକୁ ଆଗକୁ ନେବା, ଇରାନର ବିଭିନ୍ନ ସର୍ତ୍ତ. ହର୍ମୁଜ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଯୁଦ୍ଧ ବିରତି କାର୍ଯ୍ୟକାରୀ କ୍ଷେତ୍ରରେ ଇସଲାମାବାଦର ଭୂମିକା ଥିବା ବିଷୟ ମାନିଥିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ସେପଟେ ଇସଲାମାବାଦରେ କଥାବାର୍ତ୍ତା ସ୍ଥଳକୁ ରେଡଜୋନ ଘୋଷଣା କରାଯାଇଛି। ସେହି ରାସ୍ତାରେ ଯାଞ୍ଚ କଡ଼ାକଡ଼ି କରାଯାଇଛି।
ପଶ୍ଚିମ ଏସିଆରେ ଯୁଦ୍ଧବିରତି ପ୍ରସଙ୍ଗ : ଇସଲାମାବାଦ କଥାବାର୍ତ୍ତାକୁ ନେଇ ସସପେନ୍ସ

