ଆସିକା : ଉପାନ୍ତରେ ଅପହଞ୍ଚ ସରକାରୀ ଯୋଜନା । ଦୁର୍ଗମ ରାସ୍ତା ସାଜିିଛି ବାଧକ । ସରକାରୀ ଆବାସ ଯୋଜନାରେ ସାମିଲ ହୋଇଥିଲେ ବି ହୋଇପାରୁନି ପକ୍କା ଘର। ରାସ୍ତା ନଥିବାରୁ ଗାଁକୁ ଯାଇପାରୁନି ସାମଗ୍ରୀ। ଏ ଦୃଶ୍ୟ ଗଞ୍ଜାମ ଧରାକୋଟ ବ୍ଲକ ଝିରିଝିରା ଗାଁର। ପାହାଡ଼ ପାଦ ଦେଶ ବଣ ଜଙ୍ଗଲ ଭିତରେ ଦୀର୍ଘ କୋଡିଏରୁ ଅଧିକ ବର୍ଷ ଧରି ବସବାସ କରୁଛନ୍ତି ଉପାନ୍ତବାସୀ। ଆବାସ ଯୋଜନା ପାଇଁ ଯୋଗ୍ୟ ଥିଲେ ମଧ୍ୟ ପକ୍କା ରାସ୍ତା ନଥିବାରୁ ସରକାରୀ ଯୋଜନାରୁ ହେଉଛନ୍ତି ବଞ୍ଚିତ। କେଉଁଠି ଘରବାରି ପଟ୍ଟା ନଥିବାରୁ ଆବାସ ଯୋଜନାରେ ସାମିଲ ହୋଇପାରୁନାହାନ୍ତି ତ କେଉଁଠି ସାମିଲ ହୋଇ ମଧ୍ୟ ରାସ୍ତା ନଥିବାରୁ ଉପକୃତ ହୋଇପାରୁନାହାନ୍ତି । ଗାଁକୁ ରାସ୍ତା ନଥିବାରୁ ଘର ତିଆରି ପାଇଁ ଆବଶ୍ୟକ ଇଟା, ଗୋଡି ,ସିମେଣ୍ଟ, ଲୁହା ଛଡ଼ ଓ ପଥର ଆସିପାରୁନି। ଅଙ୍କା ବଙ୍କା ରାସ୍ତା ଯୋଗୁଁ ସରକାରୀ ଯୋଜନାରୁ ସଂପୂର୍ଣ୍ଣ ବଞ୍ଚିତ ଝିରିଝିରା ଗ୍ରାମବାସୀ l
ଗଞ୍ଜାମ ଜିଲ୍ଲାର ଅନେକ ଉପାନ୍ତ ଗ୍ରାମର ଲୋକଙ୍କ ଠାରୁ ବହୁ ଦୂରରେ ସରକାରଙ୍କ ପକ୍କା ଘର ଯୋଜନା। ଏବେ ବି ଅନେକ ଲୋକ ନୁଆଣିଆ ଛପର ଘରେ, ଝାଟି ମାଟି ଘରେ ବିପଦ ସଂକୁଳ ଅବସ୍ଥାରେ ବସବାସ କରୁଛନ୍ତି। ପକ୍କା ଘର ଖଣ୍ଡେ ପାଇବା ପାଇଁ ଚାତକ ପରି ଚାହିଁ ରହିଛନ୍ତି। ହେଲେ ଯୋଜନାରେ ସାମିଲ ହୋଇ ପାରୁ ନାହାନ୍ତି। ଅନ୍ୟପଟେ ସମସ୍ୟା ନେଇ ଧରାକୋଟ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ସେ କହିଛନ୍ତି, ରାସ୍ତା କାମ ଚାଲିଛି l କାମ ସରିଲେ ଉପାନ୍ତ ଅଞ୍ଚଳରେ ଯୋଜନା ପହଞ୍ଚିବ ।

