ଜଗତସିଂହପୁର : ମାତିଛନ୍ତି ସାଇବର ସଇତାନ । ଗୋଟିଏ କ୍ଲିକରେ ଆକାଉଣ୍ଟ କରିଦେଉଛନ୍ତି ଖାଲି । ଅଦୃଶ୍ୟ ଠକଙ୍କୁ ଧରିବା ପୋଲିସ ପାଇଁ ହୋଇଛି ଚ୍ୟାଲେଞ୍ଜ । ଏଭଳି ଏକ ସାଇବର ଠକାମୀର ଶିକାର ହୋଇଛନ୍ତି ଜଗତସିଂହପୁର ଜିଲ୍ଲାର ଗଣେଶ୍ଵର ପରିଡା l ବୃନ୍ଦାବନ ବୁଲିବାକୁ ଯାଇଥିବା ବେଳେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା କଟିଥିଲା। ୨୫ ହଜାର ଟଙ୍କା ଲେଖାଏ ଚାରି ଥର ୧ ଲକ୍ଷ ଟଙ୍କା କିଛି ସମୟ ଭିତରେ ଆକଉଣ୍ଟରୁ କଟିଥିବା ମୋବାଇଲରୁ ସେ ଜାଣିବାକୁ ପାଇଥିଲେ । ନିକଟସ୍ଥ ଥାନାରେ ଜଣାଇଥିବାବେଳେ ନିଜ ଅଞ୍ଚଳ ଥାନାରେ ଅଭିଯୋଗ କରିବାକୁ ସେ କହିଥିଲେ। ବୃନ୍ଦାବନରୁ ଫେରି ପାରାଦୀପ ଥାନାରେ ପହଞ୍ଚି ଥିଲେ ଗଣେଶ୍ଵର l ପାରାଦୀପ ଥାନା ପକ୍ଷରୁ ଜଗତସିଂହପୁର ସାଇବର ଥାନାକୁ ଯିବାକୁ କୁହାଯାଇଥିଲା l ସାଇବର ଥାନା ପକ୍ଷରୁ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାର ଠକେଇ ଉପରେ ଅଭିଯୋଗ ପତ୍ର ରଖାଯାଉଥିବା ଶୁଣି ଶେଷରେ ନିରାଶ ହୋଇ ଅନଲାଇନ ଜରିଆରେ ଅଭିଯୋଗ କରିଛନ୍ତି ।
ଜଗତସିଂହପୁର ଠାରେ ନୂତନ ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନାରେ ଅନେକ ଅଭିଯୋଗ ପତ୍ର ଦାଖଲ ହୋଇଥିଲେ ସୁଦ୍ଧା ମାମଲାର ଅଗ୍ରଗତି ହେଉନଥିବା ଅଭିଯୋଗ ହୋଇଛି l ଦିନକୁଦିନ ସାଇବର ଅପରାଧ ମାମଲା ବଢି ଚାଲିଥିବାବେଳେ ଦକ୍ଷ ଅଧିକାରୀ ନିଯୁକ୍ତି କରିବାକୁ ଦାବି ହୋଇଛି। କେତେବେଳେ ଡିଜିଟାଲ ଆରେଷ୍ଟ ତ କେତେବେଳେ ଲୋନ ଠକେଇ ଓ ସୋସିଆଲ ମିଡିଆରେ ଠକେଇ ର ମାତ୍ରା ବଢ଼ିବାରେ ଲାଗିଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜଗତସିଂହପୁର ଜିଲ୍ଲାବାସୀ।

