ରାଉରକେଲା : ବାତ୍ସଲ୍ଯ ଯୋଜନାରୁ ବଞ୍ଚିତ ହିତାଧିକାରୀ । ଏକବର୍ଷ ହେଲା ମିଳୁନି ଆର୍ଥିକ ସହାୟତା । ବାରମ୍ବାର ଅଫିସ ଦୌଡ଼ିଦୌଡ଼ି ନିରାଶ ଅଭିଭାବକ । ଅପେକ୍ଷାରେ ସୁନ୍ଦରଗଡ଼ର ୩ ଶହ ଅସହାୟ ଛାତ୍ରଛାତ୍ରୀ । ରାଉରକେଲା ସହରର ସେକ୍ଟର ୬ କଲ୍ୟାଣୀ ରାୟ କଲୋନୀରେ ରହୁଥିବା ବିଧବା ମାନସୀ ବାରିକଙ୍କ ପୁଅର ପାଠପଢ଼ା ପାଇଁ ମିଶନ ବାତ୍ସଲ୍ୟ ଯୋଜନାରେ ଆର୍ଥିକ ସହାୟତା ପାଇଁ ଦରଖାସ୍ତ କରି ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି । ୨୦୨୫ ଜାନୁୟାରୀ ୬ ତାରିଖ ଦରଖାସ୍ତ କରିଥିଲେ ମଧ୍ୟ ମାସିକ ୪ ହଜାର ଟଙ୍କା ଆର୍ଥିକ ସହାୟତା ପାଇନଥିବା ଅଭିଯୋଗ କରିଛନ୍ତି । ୨୦୨୦ ସେପ୍ଟେମ୍ବର ୧୫ରେ କରୋନା ଯୋଗୁଁ ମାନସୀଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା । ସେହିପରି ସେକ୍ଟର ୬ କଲ୍ୟାଣୀ ରାୟ କଲୋନୀରେ ରହୁଥିବା ବିଧବା ସୁଚିତ୍ରା ବାରିକ ମଧ୍ଯ ୨୦୨୫ ଜାନୁୟାରୀ ୬ ତାରିଖ ଦରଖାସ୍ତ କରି ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି । ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟରେ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଅଭିଯୋଗ ଶୁଣାଣୀ ଶିବିରରେ ଅଭିଯୋଗ କରି ଆର୍ଥିକ ସହାୟତା ଦେବା ପାଇଁ ଅନୁରୋଧ କରିଛନ୍ତି ।
ମିଶନ ବାତ୍ସଲ୍ୟ ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାରେ ଗତ ଏକବର୍ଷ ହେଲା ୩ ଶହରୁ ଅଧିକ ଦରଖାସ୍ତ ଆସିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଆସିନଥି ଅଭିଯୋଗ ହୋଇଛି । ଜିଲ୍ଲାର ୩ ଶହରୁ ଅଧିକ ଗରିବ ହିତାଧିକାରୀ ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୋଇଥିଵା ଅଭିଯୋଗ ହୋଇଛି । ରାଜ୍ୟ ସରକାର ମିଶନ ବାତ୍ସଲ୍ୟ ଯୋଜନାରେ ଆର୍ଥିକ ସହାୟତା ତୁରନ୍ତ ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

