ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣା, ଆତ୍ମସମର୍ପଣ ପରେ ପୁରୁଷ ବନ୍ଧୁ ଗିରଫ
ନନ୍ଦିଘୋଷ ବ୍ୟୁରୋ: କାଠଯୋଡି ନଦୀରେ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣା । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଆତ୍ମସମର୍ପଣ ପରେ ପୁରୁଷ ବନ୍ଧୁ ଭୀମସେନ ଟୁଡୁକୁ ଗିରଫ କରି କଟକ ଆଣିଲା କମିଶନରେଟ ପୋଲିସ । ତାଙ୍କୁ ବାରଙ୍ଗ ଥାନାକୁ ନିଆଯାଇଥିବା ବେଳେ କୋର୍ଟ ଚାଲାଣ କରାଯିବ ।
କଟକ ଡିସିପି କହିଛନ୍ତି, ଭୀମସେନଙ୍କ ନାଁରେ ଚନ୍ଦ୍ରିକାଙ୍କ ପରିବାର ଅଭିଯୋଗ କରିବା ପରେ ବିଭିନ୍ନ ସ୍ଥାନରେ ସେ ଆତ୍ମଗୋପନ କରୁଥିଲେ । ଏପରିକି ଓଡିଶା ଓ ଝାଡ଼ଖଣ୍ଡର ବିଭିନ୍ନ ଅଂଚଳରେ ସେ ସାଙ୍ଗମାନଙ୍କ ପାଖରେ ଆଶ୍ରୟ ନେଇଥିଲେ । ପୋଲିସ ଏ ସଂପର୍କରେ ସୂଚନା ପାଇବା ପରେ ଚଢାଉ କରୁଥଇବା ବେଳେ ସେ ବିଶୋଇ ଥାନାକୁ ଆସି ଆତ୍ମସମର୍ପଣ କରିଥିଲେ ।
ଘଟଣା ଘଟିବା ଦିନ ଚନ୍ଦ୍ରିକା ବାରମ୍ବାର ଭୀମସେନକୁ ମୋବାଇଲରେ ଯୋଗାଯୋଗ କରିଥିଲେ । ଭୁବନେଶ୍ଵରରୁ ତ୍ରିଶୂଳିଆ ସେ ଭଡା ଗାଡିରେ ଆସି ଟଙ୍କା ଅନଲାଇନରେ ପୈଠ କରିଥିଲେ । ଏପରିକି ଜଣେ ଅଜଣା ଲୋକଙ୍କୁ ମୋବାଇଲ ମାଗି ସେ ଫୋନ କରିଥିଲେ ସୁଦ୍ଧା ଭୀମସେନ ଉଠାଇ ନଥିଲେ । ଘଟଣା ଘଟିବାର କିଛି ଦିନ ପୂର୍ବରୁ ସେମାନଙ୍କ ମଧ୍ୟରେ ମତାନ୍ତର ଘଟିଥିଲା । ଚନ୍ଦ୍ରିକାଙ୍କ ରଙ୍ଗକୁ ନେଇ ଭୀମସେନ ତାଙ୍କୁ ନାପସନ୍ଦ କରିବା ଆରମ୍ଭ କରିଥିଲେ । ଭୀମସେନଙ୍କ ଭୁବନେଶ୍ଵର ଠିକଣାରୁ ତାଙ୍କର କିଛି ସାମଗ୍ରୀ ଜବତ କରିଛି ପୋଲିସ । ପରିବାରର ଅଭିଯୋଗ, ମୋବାଇଲ ତଥ୍ୟ, ଅନ୍ୟ ପ୍ରମାଣକୁ ତର୍ଜମା କରାଯାଉଛି ବୋଲି କଟକ ଡିସିପି କହିଛନ୍ତି ।
ଭୀମସେନ ଗିରଫ ପରେ ଚନ୍ଦ୍ରିକା ମୃତ୍ୟ ଘଟଣାର କାରଣ ସାମ୍ନାକୁ ଆସିବା ନେଇ ଚର୍ଚ୍ଚା ହେଉଛି । ଚନ୍ଦ୍ରିକା ଡାଏରୀ ସମ୍ପର୍କରେ ଉତ୍ତର ମିଳିବ । ମୃତ୍ୟୁ ପରେ କଟକ ନଆସି କାହିଁକି ଫେରାର ହେଲେ ଭୀମସେନ, ଲାପଟପ ଓ ଟାବଲେଟ ଆଦି ସମ୍ପର୍କରେ ବି ସୂଚନା ମିଳିପାରେ । ସେପଟେ ଭୀମସେନ ଗିରଫ ପରେ ପୋଲିସ ଉପରେ ଆସ୍ଥା ପ୍ରକଟ କରିଛନ୍ତି ପରିବାର ଲୋକେ l

