ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନଖଣ୍ଡ ଅନ୍ତର୍ଗତ କୋଇଡା ବନାଞ୍ଚଳରେ ଗୋଠଛଡ଼ା ଦନ୍ତା ହାତୀର ଉତ୍ପାତ ଚରମ ସୀମାରେ ପହଞ୍ଚିଛି। ବିଳମ୍ବିତ ରାତିରେ ଏହି ଦନ୍ତା ହାତୀଟି ପାଟମୁଣ୍ଡା ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛି।
ଗ୍ରାମର ଡମ୍ବରୁ ନାଏକଙ୍କ ଘର ଭାଙ୍ଗିବା ସହିତ ଘରେ ରଖାଯାଇଥିବା ଚାଉଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀକୁ ହାତୀଟି ନଷ୍ଟ କରିଦେଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ହାତୀଟି ବର୍ତ୍ତମାନ ସୁଦ୍ଧା ଗାଁ ନିକଟବର୍ତ୍ତୀ ଅଞ୍ଚଳରେ ହିଁ ଡେରା ଜମାଇ ରହିଛି। ଫଳରେ ଯେକୌଣସି ସମୟରେ ପୁଣି ଧନଜୀବନ ହାନି ହେବାର ଆଶଙ୍କା କରି ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଦିନକାଟୁଛନ୍ତି।
ଅପରପକ୍ଷରେ, ବନବିଭାଗ କର୍ମଚାରୀମାନେ ହାତୀ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରଖିଥିବା ଦାବି କରୁଛନ୍ତି। କିନ୍ତୁ ବାରମ୍ବାର ଏହି ଗୋଠଛଡ଼ା ଦନ୍ତା କୋଇଡ଼ା ଅଞ୍ଚଳରେ ଉତ୍ପାତ ମଚାଉଥିବାରୁ ବନବିଭାଗର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ବନବିଭାଗ ହାତୀ ଘଉଡ଼ାଇବା ନେଇ ଯେଉଁ ତଥ୍ୟ ଦେଉଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭ୍ରାମକ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

