ନନ୍ଦିଘୋଷ ବ୍ୟୁରୋ : ସମୁଦ୍ର ଗର୍ଭରେ ହଜିଯିବ କି ପୁରୀ ଜିଲ୍ଲା ଅସ୍ତରଙ୍ଗର ୨୦ ହଜାର ପରିବାରର ରୋଜଗାର? ମାଛ ଧରି ଜୀବିକା ନିର୍ବାହ କରୁଥିବା ୨୦ ହଜାରରୁ ଅଧିକ ମତ୍ସ୍ୟଜୀବୀଙ୍କ ପାଇଁ ଏବେ ସମୁଦ୍ର ରାସ୍ତା ବନ୍ଦ ହୋଇପଡ଼ିଛି। ଦକ୍ଷିଣ ମୁହାଣ ପୋତି ହୋଇ ମରୁଭୂମିର ରୂପ ନେଇଥିବାରୁ ଟ୍ରଲର ଓ ଡଙ୍ଗା ସମୁଦ୍ରକୁ ଯିବାରେ ସମସ୍ୟା ଦେଖାଦେଇଛି। ଏପର୍ଯ୍ୟନ୍ତ ଅନେକ ଟ୍ରଲର ମାଡ଼ ହୋଇ ଚୂରମାର ହୋଇସାରିଥିବା ଅଭିଯୋଗ ହୋଇଛି। ଅସ୍ତରଙ୍ଗ ଜେଠି ନିର୍ମାଣ ନେଇ ସରକାରଙ୍କ ପ୍ରତିଶ୍ରୁତି ଏବେ ମିଥ୍ୟା ପ୍ରତିଶ୍ରୁତିରେ ପରିଣତ ହୋଇଥିବା ଅଭିଯୋଗ କରିଛନ୍ତି ମତ୍ସ୍ୟଜୀବୀ। ସମସ୍ୟାର ସମାଧାନ ଦାବିରେ ଅସ୍ତରଙ୍ଗର ପ୍ରାୟ ୧୦ଟି ସାମୁଦ୍ରିକ ସୋସାଇଟି ଓ ଟ୍ରଲର ଆସୋସିଏସନ୍ର ଏକ ଐତିହାସିକ ମିଳିତ ବୈଠକ ଅନୁଷ୍ଠିତ ହୋଇଛି।
ଓଡ଼ିଶା ପାରମ୍ପରିକ ମତ୍ସ୍ୟଜୀବୀ ସଂଘର ସଭାପତିଙ୍କ ନେତୃତ୍ୱରେ ଶହ ଶହ ଟ୍ରଲର ମାଲିକ, ମାଛ ବ୍ୟବସାୟୀ ଓ ମତ୍ସ୍ୟଜୀବୀ ଏକାଠି ହୋଇ ସମସ୍ୟା ନେଇ ଆଲୋଚନା କରିଛନ୍ତି। ଯଦି ସରକାର ତୁରନ୍ତ ଦକ୍ଷିଣ ମୁହାଣ ସମସ୍ୟାର ସମାଧାନ ନ କରନ୍ତି, ତେବେ ହଜାର ହଜାର ମତ୍ସ୍ୟଜୀବୀ ଦାଦନ ମୁହାଁ ହେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦିଆଯାଇଛି।

