ନନ୍ଦିଘୋଷ ବ୍ୟୁରୋ :ପୂର୍ବତନ ସରପଞ୍ଚଙ୍କ ଚାଷ ନିଶା । ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟଙ୍କୁ ଦେଇଛନ୍ତି ରୋଜଗାର। ୧୫ ଏକର ଜମିରେ ଫଳାଇଛନ୍ତି ବାଇଗଣ। ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଅନ୍ୟଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। କେନ୍ଦୁଝର ଜିଲ୍ଲା ଯାମୁଦା ଗାଁର ସଫଳ ଚାଷୀ ରାଜେଶ୍ ଗାଗରାଇ । ଗାଁ ନିକଟରେ ରହିଛି ତାଙ୍କର ବିଶାଳ ବଗିଚା । ଯେଉଁଠି ୧୫ ଏକର ଜମିରେ ସେ ଉନ୍ନତ ପ୍ରଣାଳୀରେ ବାଇଗଣ ଚାଷ କରିଛନ୍ତି । ମଲଚିଂ ଏବଂ ଡ୍ରିପ୍ ପ୍ରଣାଳୀରେ ଚାଷ କରିଥିବା ବାଇଗଣରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ରାଜେଶ୍ । ପ୍ରାୟ ୧୪୦ କ୍ୱିଣ୍ଟାଲ୍ ବାଇଗଣ ବିକ୍ରୀ କରି ସେ ୭ଲକ୍ଷ ଟଙ୍କା ଲାଭ କରିଥିବା କହିଛନ୍ତି ।
ଧୁରୁଡ଼ିଆମ୍ବ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେଶ। ୬ମାସ ପୂର୍ବେ ଚାଷ ପ୍ରତି ମନ ବଳାଇ ନିଜସ୍ଵ ଜମିରେ ବାଇଗଣ ଚାଷ ଆରମ୍ଭ କରିଥିଲେ । ପ୍ରଥମେ ସେ ୧୮ ହଜାର ବାଇଗଣ ଚାରା ଲଗାଇଥିଲେ । ମଲଚିଂ ଏବଂ ଡ୍ରିପ୍ ପାଇଁ ରାଜେଶ୍ ଙ୍କୁ DMFରୁ ୫୦ ପ୍ରତିଶତ ରିହାତି ମିଳିଛି । ୧୮ହଜାର ବାଇଗଣ ଗଛରୁ ସେ ୯ ଲକ୍ଷ ଟଙ୍କା ରୋଜଗାର କରିଥିବା ବେଳେ, ବାକିଥିବା ୧୨ହଜାର ବାଇଗଣ ଗଛରୁ ସେ ୫ଲକ୍ଷ ଟଙ୍କା ରୋଜଗାର କରିବେ ବୋଲି ଆଶା ରଖିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଏହି ଜମିରେ କଲରା ଗଛ ଲଗାଇବେ ବୋଲି କହିଛନ୍ତି ।

