spot_img

Latest Posts

ଖଜା ବି ଭେଜାଲ! ପୁରୀରେ ଚଢ଼ାଉ, ୩ କୁଇଣ୍ଟାଲରୁ ଅଧିକ ଖଜା ଜବତ

ନନ୍ଦିଘୋଷ ବ୍ୟୁରୋ : ଆଧ୍ୟାତ୍ମିକ ସହର ପୁରୀରେ ଖଜାର ମାନକୁ ନେଇ ଉଠିଛି ପ୍ରଶ୍ନ। ନିମ୍ନମାନର ଓ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଖଜା ବିକ୍ରି ନେଇ ଅଭିଯୋଗ ପରେ ଆକ୍ସନ୍ ମୋଡ୍‌କୁ ଆସିଛି ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ। ସକାଳୁ ସକାଳୁ ପୁରୀ ସହରର ଶ୍ରୀକୃଷ୍ଣ ସିନେମା ଲେନ୍, ବଡ଼ଦାଣ୍ଡ, ସ୍ୱର୍ଗଦ୍ୱାର ସମେତ ଆଖପାଖ ଅଞ୍ଚଳରେ ଥିବା ଖଜା ଗୋଦାମ ଓ ପ୍ରସ୍ତୁତି ୟୁନିଟ୍‌ରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଖଜାର ଗୁଣବତ୍ତା, ଓଜନରେ ହେରଫେର, ପ୍ୟାକେଜିଂ ଏବଂ ଖାଦ୍ୟ ସୁରକ୍ଷା ଲାଇସେନ୍ସ ଯାଞ୍ଚ କରାଯାଇଥିଲା।

ଯାଞ୍ଚ ବେଳେ ପ୍ରାୟ ୩ କୁଇଣ୍ଟାଲରୁ ଅଧିକ ନିମ୍ନମାନର ଖଜା ଜବତ କରାଯାଇଥିବା ସୂଚନା ମିଳିଛି। ନିୟମ ଉଲ୍ଲଂଘନ ଅଭିଯୋଗରେ ସମ୍ପୃକ୍ତ ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଅସ୍ୱାସ୍ଥ୍ୟକର ପରିବେଶରେ ଖଜା ପ୍ରସ୍ତୁତ କରୁଥିବା କିଛି ଦୋକାନୀଙ୍କୁ ମଧ୍ୟ ତାଗିଦ କରାଯାଇଛି। ସିଟି ଡିଏସ୍‌ପିଙ୍କ ନେତୃତ୍ୱରେ ଟାଉନ୍ ପୋଲିସ, ଖାଦ୍ୟ ସୁରକ୍ଷା ବିଭାଗ ଏବଂ ଓଜନ ଓ ମାପ ବିଭାଗର ମିଳିତ ଟିମ୍ ଏହି ଚଢ଼ାଉ କରିଥିଲେ। ପୁରୀକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ନିମ୍ନମାନର ଖଜା ବିକ୍ରି ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ପୁରୀ ଖଜା ସହ ଆଧ୍ୟାତ୍ମିକ ଭାବନା ଜଡ଼ିତ ଥିବାରୁ ଏହାର ଫାଇଦା ଉଠାଇ କିଛି ଅସାଧୁ ବ୍ୟବସାୟୀ ଗ୍ରାହକଙ୍କୁ ଠକୁଥିବା ଅଭିଯୋଗ ରହିଛି। ପୁରୀ ଭଳି ଆଧ୍ୟାତ୍ମିକ ସହରରେ ଖାଦ୍ୟର ମାନ ଓ ଶୁଦ୍ଧତା ବଜାୟ ରଖିବାକୁ ଏଭଳି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ନିୟମିତ ଭାବେ ଜାରି ରହୁ ବୋଲି ସାଧାରଣରେ ଦାବି ହୋଇଛି।

Latest Posts

Don't Miss