spot_img

Latest Posts

ବନ୍ୟା ଛାଡିବା ପରେ କୂଳ ଖାଉଛି ବୈତରଣୀ

ନନ୍ଦିଘୋଷ ବ୍ୟୁରୋ : ବନ୍ୟା ଛାଡିବା ପରେ କୂଳ ଖାଉଛି ବୈତରଣୀ । ଓଳଗ ଅମୃତମଣୀ ଓ ଷାଠିବାଙ୍କୁଡା ନିକଟ ୨ଟି ସ୍ଥାନରେ ୭ଶହ ଫୁଟ ନଦୀବନ୍ଧ ଧସିଲା । ଆତଙ୍କିତ ୪ଟି ପଞ୍ଚାୟତର ନଦୀକୂଳିଆ ଲୋକେ । ଗତ ଦୁଇମାସ ମଧ୍ୟରେ ବୈତରଣୀ ନଦୀର ଆସିଥିବା ୫ ପାଞ୍ଚ ଥର ବନ୍ୟାରେ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିଲା ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡି, ସୁନ୍ଦରପୁର, ଓଳଗ, ନାନ୍ଦପୁର ଭଳି ୪ଟି ପଞ୍ଚାୟତ । ଏବେ ବନ୍ୟା ଛାଡିଥିବା ବେଳେ କୂଳ ଖାଉଛି ବୈତରଣୀ । ଓଳଗ ନିକଟସ୍ଥ ଅମୃତମଣୀ ଗାଁ ନୀକଟରେ ଦୁଇଶହ ଫୁଟର ନଦୀବନ୍ଧ ବୈତରଣୀ ନଦୀଗର୍ଭକୁ ଚାଲିଯାଇଥିବା ବେଳେ ଅନେକ ସ୍ଥାନରେ ବଡବଡ ଫାଟ ସୃଷ୍ଟି ହୋଇଛି । ସେହିପରି ଷାଠିବାଙ୍କୁଡା ଗାଁ ଠାରୁ କିଛି ଦୂର ବୈତରଣୀ ନଦୀ କୂଳ ଲଙ୍ଘିବାରୁ ପାଖାପାଖି ୫ଶହ ଫୁଟ ଲମ୍ବର  ନଦୀପଠାରୁ ବଡବଡ ମାଟି ଅତଡ଼ାଖଣ୍ଡ ନଦୀ ମଧ୍ୟକୁ ଚାଲିଯାଇଛି । ଏହାସହ ସେହି ସ୍ଥାନ ଦେଇ ଆଖଣ୍ଡଳମଣି- କୁଆଖିଆ ୨୦ ନମ୍ଵର ଜାତୀୟ ରାଜପଥ ଯାଇଥିବାରୁ ରାସ୍ତା ପ୍ରତି ବିପଦ ସୃଷ୍ଟି ହେବା ସହ ୪ଟି ପଞ୍ଚାୟତର ନଦୀକୂଳିଆ ଏବେ ଆତଙ୍କିତ ହୋଇ ପଡିଛନ୍ତି । ବନ୍ୟାରେ ବୈତରଣୀନଦୀ କୂଳ ଲଙ୍ଘିଵାରୁ ଜାତୀୟ ରାଜପଥର ଦେଢ଼ କିଲୋମିଟର କଂକ୍ରିଟ ରାସ୍ତାକୁ ଧୋଇନେବା ସହ ୩ଶହ ଫୁଟର ଘାଇ ସୃଷ୍ଟି ହୋଇ ଆରଡି ସମେତ ୨୪ ଗାଁର ବହୁ କ୍ଷତି ଘଟାଇଥିଲା । ବନ୍ୟା ଛାଡିବା ପରେ କଟକ ଅଧିନ NHAI ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ନଦୀ କଡ଼ରେ ବଲା ଓ ବାଲିବସ୍ତା ଦିଆଯାଇ ଘାଇ ମରାମତି କରାଯାଇଥିଲା । ହେଲେ ଧୋଇଯାଇଥିବା ରାସ୍ତାର ଅସ୍ଥାୟୀ ମରାମତି ହୋଇଥିଲେ ମଧ୍ୟ ଏବେବି ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଅନ୍ୟପଟେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଜି ଠାରୁ ଲଘୁଚାପ ପ୍ରଭାବରେ ବର୍ଷା ହେବ । ତେଣୁ ଦୁର୍ବଳ ନଦୀବନ୍ଧର ଯଥାଶୀଘ୍ର ମରାମତି ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ନଦୀବନ୍ଧ ଧସିବା ଘଟଣା ସମ୍ପର୍କରେ ଧାମନଗର ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ ବିମଳ ପ୍ରସାଦ ବେହେରାଙ୍କୁ ପଚାରିବାରୁ ଆମର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି, ସେହି ସ୍ଥାନରେ ଆଗକୁ କାମ ହେବ ବୋଲି କ‌ହିଛନ୍ତି ।….

Latest Posts

Don't Miss